ରାଜ୍ୟ ସରକାର ଫାର୍ମ ପଣ୍ଡ୍‌ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଫାର୍ମପଣ୍ଡ୍‌ ଯୋଜନା କୃଷି ସହିତ ଆନୁଷଙ୍ଗିକ ‌କୃଷି କ୍ଷେତ୍ରରେ ଆୟ ବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ସରକାର ଫାର୍ମପଣ୍ଡ୍‌ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-ଟିକୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବା ସହ ସେମାନଙ୍କୁ ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇ ଦେବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନରେ ୩୦ଟି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସାହୁ ଯୋଗ ଦେଇ ଫାର୍ମପଣ୍ଡ୍‌ ଯୋଜନାରେ ମିଳୁଥିବା ଆବେଦନଗୁଡ଼ିକ ଠିକ୍ ସମୟରେ ଯାଞ୍ଚ୍ ଓ ହିତାଧିକାରୀ ଚୟନ ଉପରେ ଗୁରୁତ୍ବାରୋପ କରିଥିଲେ। ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ସଫଳ ହିତାଧିକାରୀଙ୍କୁ ନୂଆ ଜ୍ଞାନକୌଶଳ ଓ ପଦ୍ଧତ୍ତି ଜାଣିବା ନିମନ୍ତେ ଅନ୍ୟ ରାଜ୍ୟକୁ ପରିଦର୍ଶନରେ ପଠାଇବାକୁ ମନ୍ତ୍ରୀ କହିଥିଲେ। ଫାର୍ମପଣ୍ଡ୍‌ ଓ ଚେକ୍‌୍ଡ୍ୟାମ୍ କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପମ୍ପସେଟ୍‌, ସ୍ପ୍ରେୟର୍‌, ‌ସୌର ଜଳନିଧି ଆଦି ଅଗ୍ରାଧିକାର ଭିତ୍ତିରେ ଯୋଗଇ ଦିଆଯାଉଥିବାରୁ ହିତାଧିକାରୀମାନେ ଏହାର ଲାଭ ଉଠାଇବା ପାଇଁ ମନ୍ତ୍ରୀ କହିଥିଲେ। ଏହା ସହ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଫାର୍ମପଣ୍ଡ୍‌ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଜଳ ସୁପରିଚାଳନା ଓ ସୁବିନିଯୋଗ ଦିଗରେ ଅଧିକାରୀମାନେ ଅନ୍ୟ ସଂପୃକ୍ତ ବିଭାଗ ସହିତ ଉପଯୁକ୍ତ ସମନ୍ବୟ ରଖି କାର୍ଯ୍ୟ କରିବାକୁ କହିଥିଲେ। ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଟୋଲ୍‌ ଫ୍ରି ମୋବାଇଲ୍‌ ସୂଚନା ଆପ୍ ‘ଆମ କୃଷି’ କୃଷକମାନଙ୍କ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିଛି ବୋଲି କହିଥିଲେ। ବୈଠକରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନି‌େର୍ଦ୍ଦଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଫଳ, ପନିପରିବା ଓ ଅର୍ଥକାରୀ ଫସଲ ଚାଷ ଓ ସମନ୍ବିତ କୃଷି କାର୍ଯ୍ୟ ଦିଗ‌େର ଜଳଛାୟା ଉନ୍ନୟନ ବିଶେଷ ଲାଭଦାୟକ ହୋଇପାରିବ ବୋଲି ମତ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର