ବିକାଶ ସମ୍ପର୍କରେ ରାଜ୍ୟ ସରକାର ମିଛ ପ୍ରଚାର କରୁଛନ୍ତି: ଅପରାଜିତା

ଭୁବନେଶ୍ବର : ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡ଼ିଶା ଆଜି ଦରିଦ୍ରତମ ରାଜ୍ୟରେ ପରିଣତ ହୋଇଛି। କୋଟି କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠି ଜରିଆରେ ଆସୁଥିବା ସତ୍ତ୍ବେ ବିକାଶ ହୋଇପାରୁ ନାହିଁ। ମୋଦୀ ସରକାର ଶାସକ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ସତ୍ତ୍ବେ ଆମେ ପଛୁଆ ଓ ଦରିଦ୍ର ହୋଇ ରହିଛୁ। ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ବୋଲି ରାଜ୍ୟ ସରକାର ମିଛ ପ୍ରଚାର କରୁଛନ୍ତି। ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ଓଡ଼ିଶାର ଦାରିଦ୍ର୍ୟ ଓ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଆଜି ଚିନ୍ତାର କାରଣ ସାଜିଛି। ରାଜ୍ୟକୁ ବାସ୍ତବରେ ଏକ ନମ୍ବରରେ ପରିଣତ କରିବାକୁ ହେଲେ ସର୍ବପ୍ରଥମେ ଆମେ ଆମ ନିଜର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେବା ନିହାତି ଜରୁରୀ। ନ୍ୟାସ୍‌ନାଲ୍‌ ସାମ୍ପଲ୍‌ ସର୍ଭେ ଅର୍ଗାନାଇଜେସନ୍‌ ପକ୍ଷରୁ କରାଯାଇଥିବା ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତର ହାର ଅନୁଯାୟୀ ଓଡ଼ିଶାର ସ୍ଥାନ ବହୁ ପଛରେ ରହିଛି। ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ସହରାଞ୍ଚଳ ପରିବାରରେ ହାରାହାରି ସମ୍ପତ୍ତି ମୂଲ୍ୟ ୨୭.୧୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଓଡ଼ିଶାରେ ଏହା ୧୩.୪୧ ଲକ୍ଷ ଟଙ୍କା ରହିଛି। ସେହିପରି ଜାତୀୟ ସ୍ତରରେ ଗ୍ରାମାଞ୍ଚଳ ପରିବାରରେ ହାରାହାରି ସମ୍ପତ୍ତି ମୂଲ୍ୟ ୧୫.୯୨ ଲକ୍ଷ ହୋଇଥିଲା ବେଳେ ଓଡ଼ିଶାରେ ଏହା ମାତ୍ର ୫.୩୨ ଲକ୍ଷ ଟଙ୍କା। ଓଡ଼ିଶା ଅଧିକ ଋଣଗ୍ରସ୍ତ ହେବା ମଧ୍ୟ ଚିନ୍ତାର କାରଣ ହୋଇଛି। ଓଡ଼ିଶାରେ ଚାଷୀଙ୍କ ଆୟ କମିଚାଲିଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶା ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅଛି। ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ନୀତି ଆୟୋଗ ଏସ୍‌ଡିଜି ରିପୋର୍ଟ ଅନୁଯାୟୀ ‘ଦାରିଦ୍ର୍ୟ ସୀମାରେଖା ତଳେ’ ସୂଚକାଙ୍କରେ ୧୫ ବୃହତ ରାଜ୍ୟ ତାଲିକାରେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ଅଛି। ସର୍ବଭାରତୀୟ ସ୍ତରରେ ୨୧.୯୨ ପ୍ରତିଶତ ‌ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଓଡ଼ିଶାରେ ଏହି ପରିମାଣ ରହିଛି ୩୨.୫୯%। ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ଓଡ଼ିଶା ରାଜ୍ୟ ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ ହେବା ରାଜ୍ୟ ସରକାରଙ୍କ ଚରମ ବିଫଳତା ନୁହେଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

ସାଂସଦ ଆହୁରି ଅଭିଯୋଗ କରିଛନ୍ତି ଯେ ନାରୀ ନିର୍ଯାତନାରେ ସର୍ବଭାରତୀୟ ସ୍ତରରେ ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହି ଓଡ଼ିଶା ଆଜି ରେକର୍ଡ କରିଛି। ଯୌତୁକ ଜନିତ ହତ୍ୟା, ଧର୍ଷଣ, ବ୍ଲାକ୍‌ମେଲ୍‌, ନାବାଳିକା ଅତ୍ୟାଚାର ଆଦି ବହୁ ମାତ୍ରାରେ ବୃଦ୍ଧି ପାଇଛି। ୨୦୧୮ ମସିହା ଅପେକ୍ଷା ୨୦୨୦ରେ ୨୫.୭୨% ମହିଳା ହିଂସା ବୃଦ୍ଧି ପାଇଛି। ରାଜ୍ୟରେ ଦଣ୍ଡପ୍ରଦାନ ହାର ମାତ୍ର ୯.୨ ପ୍ରତିଶତ ରହିଛି। ଏହି କାରଣରୁ ବହୁ ଅପରାଧୀ ଖୋଲାଖୋଲି ବାହାରେ ବୁଲି ନିର୍ଭୟରେ ଅପରାଧ ଭିଆଇବାକୁ ସାହସ କରୁଛନ୍ତି। ଆର୍ଥିକ ସଶକ୍ତୀକରଣରେ ବିଫଳ ହୋଇଥିବା ରାଜ୍ୟ ସରକାର ମା’, ଭଉଣୀଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବହୁ ପଛରେ ରହିଯାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉର୍ମିଳା ମହାପାତ୍ର, ଉମାକାନ୍ତ ପଟ୍ଟନାୟକ ଓ ସୁଜିତ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର