ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍ : କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ହେବ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ସିନେମାହଲ୍, ମେଳା ଓ ବୃହତ ସମାବେଶ

ଭୁବନେଶ୍ବର : ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଳବତ୍ତର ରହିବ। ଏହି ନିର୍ଦ୍ଦେଶାବଳୀରେ ସମସ୍ତ ସ୍କୁଲକଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ ଓ ସୁଇମିଂ ପୁଲ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନରେ ପୂର୍ବ ଭଳି ଲକଡାଉନ୍ ଜାରି ରହିବ । ଏଥିସହ ଶିଶିରସରସ କିମ୍ବା ତୋଷଳୀ କ୍ରାଫ୍ଟ ମେଳା ଭଳି ବଡ଼ ବଡ଼ ପ୍ରଦର୍ଶନୀ ଓ ବ୍ୟବସାୟ ଭିତ୍ତିକ ମେଳା ବନ୍ଦ ରହିବ ବୋଲି ଡିସେମ୍ବର ଗ‌ାଇଡଲାଇନରେ କୁହାଯାଇଛି । କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବୃହତ ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଓ କ୍ରୀଡ଼ା ସମାବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର କଣ୍ଟେମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର  ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ। କଣ୍ଟେନମେଣ୍ଟ ଜୋନର ତାଲିକା ୱେବସାଇଟରେ ସମ୍ପୃକ୍ତ ଜିଲ୍ଲା ଏବଂ ରାଜ୍ୟ  ଦ୍ୱାରା ସୂଚିତ କରାଯିବ ।

ତେବେ  କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ | ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡା ନିୟନ୍ତ୍ରଣ ରହିବ| ଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ।  ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ।

କୋଭିଡ୍ ପଜିଟିଭ୍ ଚିହ୍ନଟ ସବୁ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ । କେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। କରୋନା ରୋଗୀଙ୍କର ଅତିକମରେ ୮୦ ଭାଗ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ଏଥିସହ  ରୋଗୀମାନଙ୍କୁ ଯଥା  ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯଦି ସେ ଘରେ ଆଇସୋଲେସନରେ ରହିବାକୁ ଚାହାନ୍ତି ତେବେ ସେ ଘରେ ରହିବେ। ତୁରନ୍ତ ତାଙ୍କୁ ସେ ସୁବିଧା ଦିଆଯିବ। ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ନ ଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯିବ।

କଣ୍ଟେନମେଣ୍ଟ ଜୋନରେ ଯେଭଳି କଡାକଡି ଭାବରେ ନିୟମ  ପାଳନ କରାଯାଏ ତାହା ସ୍ଥାନୀୟ ପ୍ରଶାସନ, ଜିଲ୍ଲା  ପୁଲିସ ପ୍ରଶାସନ  ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ।

ସମ୍ବନ୍ଧିତ ଖବର