ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ ରହିବ। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଅତିରିକ୍ତ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା।

Advertisment

ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର  ସମସ୍ତ ଧର୍ମପୀଠ ବନ୍ଦ ରହିବ ବୋଲି ଘୋଷଣା କରିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗା‌ଇଛନ୍ତି। ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ବିଚ‌ାର କରି ରାଜ୍ୟ ସରକାର ପୂରା ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରାଗଲା ବୋଲି କହିଛନ୍ତି ଶ୍ରୀ ଜେନା । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

publive-image

ଏହି ସାମ୍ବାଦିକ ସମ୍ମିଳନୀରେ ଏସଆରସି କହିଛନ୍ତି ଯେ ରାଜ୍ୟର କୌଣସି ସ୍ଥାନରେ କାଉଡିଆମ‌ାନେ ପାଣି ଉଠାଇ ଶିବମନ୍ଦିରକୁ ନେଇ ପାରିବେ ନାହିଁ। ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ। ସରକାରଙ୍କ ଏହି ନିଷ୍ପତ୍ତିକୁ ମାନି ଜନସ୍ବାସ୍ଥ୍ୟ ରକ୍ଷା ଲାଗି ଜନସାଧାରଣ ସହଯୋଗ କରିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଗତକାଲି କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏଥର ବୋଲବମ ବା କାଉଡ଼ିଆଙ୍କୁ ପୁରୀ ଆସିବାକୁ ମନା କରିଥିଲା। ପୁରୀ ଜିଲ୍ଲା ବା ବାହାର ଜିଲ୍ଲାରୁ କୌଣସି କାଉଡ଼ିଆ ଭକ୍ତ ପୁରୀକୁ ଆସି ପାଣି ଢାଳିପାରିବେ ନାହିଁ। ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କ ସମେତ ଜିଲ୍ଲାର ଅନ୍ୟ ସମସ୍ତ ଶିବ ମନ୍ଦିରରେ ମଧ୍ୟ ପାଣି ଢାଳିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏ ନେଇ ନିଷ୍ପତ୍ତି ହୋଇଛି। ଗତକାଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।