କରୋନାର ନୂତନ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର, ଜାରି କଲେ ନୂଆ ଗାଇଡଲାଇନ୍

ଭୁବନେଶ୍ବର: କରୋନାର ନୂଆ ରୂପ ଚିନ୍ତା ବଢ଼ାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୁଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନ ହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହାରି ଭିତରେ ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି । ରାଜ୍ୟରେ ମୋଟ୍ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ କେତେ ପ୍ରତିଶତ ଆଣ୍ଟିବଡ଼ି ବିକଶିତ ହୋଇଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ବେଳ ଥାଉ ଥାଉ ସାବଧାନ ନହେଲେ, କରୋନା ସଂକ୍ରମଣ କେଉଁ ଭଳି ସ୍ଥିତି ସୃଷ୍ଟି କରିପାରେ, ଏକଥା ଆମେ ସମସ୍ତେ ଅନୁଭବ କରିଛେ । ଆଉ ଏଭଳି ସ୍ଥିତିରେ କରୋନାର ନୂଆ ନୂଆ ରୂପ ଏବଂ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ସଂକ୍ରମଣ ପୁଣି ଥରେ କରୋନାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ନିମ୍ନରେ ସତର୍କତାମୂଳକ ପଦକ୍ଷେପ ସଂପର୍କରେ ସୂଚନା ଦିଆଗଲା।

-ମୌଳିକ କୋଭିଡ ନିରୋଧୀ ଆଚରଣ ପାଳନ କରିବା
-ହାତ ଧୋଇବା, ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା
-ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା
-ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା
-କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା
-ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକବାସରେ ରହିବା
-ସନ୍ଦିଗ୍ଧ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବା

ଏହି ନୂଆ ଗାଇଡଲାଇନରେ କରୋନାର ନୂଆ ରୂପର ନୂଆ ଲକ୍ଷଣ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ସେଗୁଡ଼ିକ ହେଲା-

-ଦେହ, ହାତ ଅବଶ ଲାଗିବା
-ଭୋକ ନ ହେବା
-ମୁଣ୍ଡବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
-ନୂଆ କରି ଚର୍ମରୋଗ ଦେଖାଦେବା
-ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ନୀଳ ପଡ଼ିବା
-ଗଳା ଦରଜ ଓ ନାକ ଚୁଂଟି ହେବା
-ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

କରୋନ ସଂକ୍ରମଣ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଇଛି । ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାରକଣ ପାଇଁ ୯୨୭ଟି କେନ୍ଦ୍ର କରାଯାଇଛି । ଗ୍ରାମାଚଂଳରେ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ଘର ଘର ବୁଲି ପ୍ରଶାସନ ସଚେତନ କରୁଛି । ଯେଉଁ ଜିଲ୍ଲାରେ ଟିକାକରଣ ପ୍ରତିଶତ କମିଛି, ତା’ ଉପରେ ଅଧିକ ଧ୍ୟାନ ନିଆଯାଉଛି ।

ସମ୍ବନ୍ଧିତ ଖବର