ଭୁବନେଶ୍ବର: ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସରକାରୀ ଯୋଗାଯୋଗ ବ୍ୟବସ୍ଥାରେ ଆଉ ‘ହରିଜନ’ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। ଏହା ବଦଳରେ ‘ଅନୁସୂଚିତ ଜାତି’ ସାମ୍ବିଧାନିକ ଶବ୍ଦ ବ୍ୟବହାର କରିବା ଲାଗି ରାଜ୍ୟ ସରକାର ସବୁ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ପତ୍ର ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏହାର ଅନୁପାଳନ ସଂପର୍କିତ ରିପୋର୍ଟ ଦାଖଲ କରିବା ଲାଗି ସବୁ ବିଭାଗକୁ କୁହାଯାଇଛି।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ରରେ କୁହାଯାଇଛି ଯେ ଏବେ ସବୁ ସରକାରୀ ରେକର୍ଡ, ଚିଠି ଆଦାନପ୍ରଦାନ, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ହରିଜନ ଶବ୍ଦର ବ୍ୟବହାର ହୋଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୧୨ ମସିହା, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୧୩ ମସିହା ଓ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆରସି) ୨୦୨୫ ମସିହା ଆଦେଶ ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାପୂର୍ବରୁ ୧୯୮୨ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜାତି ପ୍ରମାଣପତ୍ରରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୦ ମସିହାରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସରକାରୀ କାର୍ଯ୍ୟ ଓ ଯୋଗାଯୋଗରେ କେବଳ ଅନୁସୂଚିତ ଜାତି ଶବ୍ଦ ବ୍ୟବହାର କରିବା ଲାଗି ଅନୁରୋଧ କରିଥିଲେ।
ଅପରପକ୍ଷରେ ଓଡ଼ିଶା ବହୁଜନ ଛାତ୍ର ଓ ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଅନୀଲ ମଲ୍ଲିକଙ୍କ ଦ୍ବାରା ଦାୟର ଏକ ମାମଲାର ବିଚାର କରି ରାଜ୍ୟ ମାନବାଧିକାର ଆୟୋଗ ୬ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ନୟାଗଡ଼, କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ଥିବା ସ୍କୁଲଗୁଡ଼ିକରେ ହରିଜନ ଶବ୍ଦକୁ ହଟାଇବା ଓ ଏ ସଂପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।