ରାଜ୍ୟ ସରକାର ହରାଇଛନ୍ତି ୧୪୦ କୋଟିର ପ୍ରବେଶ କର : ତଦନ୍ତ, କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ମାମଲା

କଟକ : ପ୍ରଶାସନିକ ଅବହେଳା କାରଣରୁ ପ୍ରବେଶ କର ବାବଦରେ ରାଜ୍ୟ ସରକାର ପାଖାପାଖି ୧୪୦ କୋଟି ଟଙ୍କାର ରାଜସ୍ବ ହରାଇଇଛନ୍ତି। ଏହି ଘଟଣାର ତଦନ୍ତ ସହିତ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ଓଡ଼ିଶା ସିଭିଲ ଲିବର୍ଟି ଫୋରମ ଉପସଭାପତି ପ୍ରମୋଦ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ପ୍ରଶାସନିକ ନିଷ୍କ୍ରିୟତା କାରଣରୁ ରାଜ୍ୟ ସରକାର ଏକ ଘରୋଇ ପାୱାର ଓ ଷ୍ଟିଲ୍ କମ୍ପାନି ଠାରୁ ବକେୟା ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର ଅର୍ଥ ହରାଇବାକୁ ଯାଉଛନ୍ତି। ଆଇନ ଅନୁସାରେ ଏହି ଅର୍ଥ ସୁଧ ଓ ଜରିମାନା ସହିତ ରାଜ୍ୟ ସରକାର ପାଇବାକୁ ହକ୍‌ଦାର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଏହି ପ୍ରସଂଗରେ ନିଷ୍କ୍ରିୟତା ଓ ସ୍ଥାଣୁତା ବକେୟା ଆଦାୟରେ ବାଧକ ହୋଇଛି। ପ୍ରବେଶ କର ଆଇନର ବୈଧତା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାମଲା ଜିତିବା ପରେ ମଧ୍ୟ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନି ନିକଟରୁ ଏହି ପରିମାଣର ପ୍ରବେଶ କର ଅର୍ଥ ଆଦାୟ କରିବାକୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ପ୍ରବେଶ କର ଆଇନର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭, ନଭେମ୍ବର ୧୧ରେ ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ପରବର୍ତ୍ତୀ ସମୟରେ କ୍ଷତିରେ ଚାଲୁଥିବା ସଂପୃକ୍ତ ଘରୋଇ କମ୍ପାନି ଗ୍ରହିତାଙ୍କ ଋଣ ସୁଝି ନ ପାରି ଇନସ‌ଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ ଅନୁଯାୟୀ ୨୦୧୮ରେ ନ୍ୟାସନାଲ କମ୍ପାନି ଲ’ ଟ୍ରିବୁନାଲ (ଏନସିଏଲଟି)ଙ୍କ ଦ୍ବାରସ୍ଥ ହୋଇଥିଲେ। ଟ୍ରିବୁନାଲରେ ମାମଲାର ଶୁଣାଣି ବେଳେ ୪୮ ହଜାର କୋଟିରୁ ଉର୍ଦ୍ଧ୍ବ ରାଶି ଫାଇନାନସିଆଲ କ୍ରେଡିଟର ଓ ଅପରେସନାଲ କ୍ରେଡିଟର ପାଇବାକୁ ବାକି ରହିଛି ବୋଲି ଆକଳନ କରାଯାଇଥିଲା। ସେତେବେଳେ ବିଭିନ୍ନ ସଂସ୍ଥା ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇ ପ୍ରାପ୍ୟ ବାବଦରେ ନିଜ ଦାବି ପ୍ରସଂଗ ଉପସ୍ଥାପନ କରିଥିଲେ। ଟ୍ରିବୁନାଲ ଦ୍ବାରା ନିଯୁକ୍ତ ରିଜୋଲ୍ୟୁଓନ ପ୍ରଫେସନାଲ ୨୦୧୮, ଅକ୍ଟୋବର ୧୬ରେ ଫାଇନାନସିଆଲ କ୍ରେଡିଟର ଓ ଅପରେସନାଲ କ୍ରେଡିଟରଙ୍କ ତାଲିକା ପ୍ରସ୍ତୁତ କରିଥିବାବେଳେ ୨୦୧୯, ସେପ୍ଟେମ୍ବର ୫ରେ ଏହାକୁ ଟ୍ରିବୁନାଲଙ୍କ ମଞ୍ଜୁରୀ ମିଳିଥିଲା। ‌ସେହି ସମୟରେ ରାଜ୍ୟ ସରକାର ଟ୍ରିବୁନାଲରେ ନିଜ ଦାବି ଉପସ୍ଥାପନ କରି ନଥିବାରୁ ଚୂଡାନ୍ତ ତାଲିକାରେ ସ୍ଥାନ ପାଇ ପାରି ନଥିଲେ। ଅନ୍ୟପକ୍ଷରେ, ପରବର୍ତ୍ତୀ ସମୟରେ ପ୍ରବେଶ କର ବାବଦରେ ବକେୟା ୧୩୯ କୋଟି ଟଙ୍କା ପାଇିବାକୁ ନ୍ୟାସନାଲ କମ୍ପାନି ଲ ଆପିଲେଟ ଟ୍ରିବୁନାଲରେ ୨୦୧୯, ନଭେମ୍ବର ୧୮ରେ ରାଜ୍ୟ ସରକାର ଅପିଲ ଦାୟର କରିଥିଲେ। ଆପିଲେଟ ଟ୍ରିବୁନାଲ ମାମଲାର ଶୁଣାଣି କରି ରାୟରେ ଦର୍ଶାଇଥିଲେ ଯେ, ଯଦିଓ ଓଡ଼ିଶା ସରକାର ବକେୟା ଟଙ୍କା ପାଇବାକୁ ହକଦାର ତଥାପି ଏନସିଏଲଟିରେ ଏ ନେଇ ଦାବି ଉପସ୍ଥାପନ କରି ନଥିବାରୁ ଏହି ବକେୟା ରାଶି ମିଳିବ ନାହିଁ। ସେ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନଯିବାରୁ ଏତେ ବିପୁଳ ପରିମାଣର ରାଜସ୍ବ ରାଜ୍ୟ ସରକାର ହରାଇବାକୁ ଯାଉଛନ୍ତି। ଏହି ଘଟଣାରେ ଅବହେଳାର ଭିଜିଲାନ୍ସକୁ ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ଏତେ ପରିମାଣର ରାଜସ୍ବ ହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ସରକାର ଓ ଭିଜିଲାନ୍ସ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର