ଭୁବନେଶ୍ବର: ରାଜ୍ୟରେ ବେସରକାରୀ ଖଣି ନିଲାମରେ ବ୍ୟାପକ ଅନିୟମିତତା/ଦୁର୍ନୀତି ହୋଇଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ଚଳିତ ମାସ ୧୮ତାରିଖରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ଚିଠିକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଗତବର୍ଷ ସଂସଦରେ ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀଙ୍କଠାରୁ ଆସିଥିବା ଚିଠିରେ ୩ଟି ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି। ପ୍ରଥମତଃ ବେସରକାରୀ ଖଣି ଉତ୍ତୋଳନକାରୀ ହାଇଗ୍ରେଡ୍ ଲୁହାପଥରକୁ ଲୋ ଗ୍ରେଡ୍ ଲୁହାପଥର ବୋଲି ଦର୍ଶାଯାଇଛି। ଫଳରେ ରାଜକୋଷର ହଜାର ହଜାର କୋଟି କ୍ଷତି ହେବା ସହିତ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍)କୁ ଯେତିକି ଟଙ୍କା ଯିବା ତାହା ଯାଇନାହିଁ। ଏହାସହ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ(ଏନ୍ଏମ୍ଇଟି)କୁ ଯିବାକୁ ଥିବା ଅର୍ଥ କମିଗଲା। ହେଲେ ଏହି ହଜାର ହଜାର ଟଙ୍କା କାହା ପକେଟ୍କୁ ଗଲା ? ରାଜ୍ୟ ସରକାର ଖଣି ଦୁର୍ନୀତି ସ୍ବୀକାର କରିବା ସହିତ ଖଣି ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖଣି ବ୍ୟୁରୋଙ୍କ ସଦସ୍ୟଙ୍କୁ ନେଇ କମିଟି ଗଠନ କରିଥିବା କେନ୍ଦ୍ରକୁ ଜଣାଇଛନ୍ତି। ଏହି କମିଟି ଏହାର ଅନୁଧ୍ୟାନ କରୁଥିବା କହିଛନ୍ତି। ମାତ୍ର ଏହା କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ବରଂ ଆଉଥରେ ଏହା ସଂପର୍କିତ ବିସ୍ତୃତ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।
ହାଇଗ୍ରେଡ୍ ଲୁହାପଥରକୁ ଲୋ ଗ୍ରେଡ୍ ଦର୍ଶାଇ ହୋଇଛି ଦୁର୍ନୀତି
ଓଡ଼ିଶା ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହନ୍ତି କେନ୍ଦ୍ର ସରକାର
ତଦନ୍ତ କମିଟି ଗଠନ ପରେ କ’ଣ ସୁଧାର ଆସିଛି ରାଜ୍ୟ ସରକାର ଜଣାନ୍ତୁ
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା କମିଟି ସଂପର୍କରେ ଗତ ସେପ୍ଟେମ୍ବର/ଅକ୍ଟୋବର ମାସରେ ସୂଚନା ଦେଇଛନ୍ତି। ମାତ୍ର ପରିସ୍ଥିତିରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଲୋକମାନଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ଏବେ ଯେଉଁ ହଜାର ହଜାର କୋଟିର ଖଣି ଦୁର୍ନୀତି ଚାଲିଛି ଭବିଷ୍ୟତରେ ତାହା ହେବ ନାହିଁ ବୋଲି ରାଜ୍ୟ ସରକାର କ’ଣ ଗ୍ୟାରେଣ୍ଟି ଦେବେ ? ଯଦି ପଦକ୍ଷେପ ନିଆଯାଇଛି ତାହାଲେ ଏପ୍ରିଲ,୨୦୨୨ରୁ ଜାନୁଆରି,୨୦୨୩ ପର୍ଯ୍ୟନ୍ତ କେଉଁ ପ୍ରକାର ସୁଧାର ଆସିଛି ତାହାକୁ ଆଇବିଏମ୍ ପୋର୍ଟାଲରେ ତଥ୍ୟ ଦିଅନ୍ତୁ। ଯେଉଁ ଟଙ୍କା ରାଜକୋଷକୁ ଆସିନାହିଁ, ତା’ର କ୍ଷତିପୂରଣ ପାଇଁ ରାଜ୍ୟ ସରକର କ’ଣ ପଦକ୍ଷେପ ନେଇଛନ୍ତି। କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଯାଜପୁର ଓ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଖଣି ରହିଛି। ଯଦି ଆଗାମୀ ଦିନରେ ଦୁର୍ନୀତିରେ ସୁଧାର ନ ଆସେ ଓ ଏଥିପାଇଁ ଜନ ଆନ୍ଦୋଳନ ହୁଏ ତାହାଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯିବ। ଖଣିଜ ସଂପଦ ଥିବା ଜିଲ୍ଲାରେ ସ୍ଥାନୀୟ ଲୋକମାନେ କିଭଳି ଉପକୃତ ହେବେ ତାହାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।