ଭୁବନେଶ୍ୱର: ରାଜ୍ୟ ସରକାର ବିଦେଶୀ ମଦ ଉପରେ ଲାଗୁ କରିଥିବା ୫୦ ପ୍ରତିଶତର ସ୍ୱତନ୍ତ୍ର କୋଭିଡ୍ ଟିକସକୁ ଆଜି ହ୍ରାସ କରିଛନ୍ତି। ଏହି ଅତିରିକ୍ତ ଟିକସ ଲାଗୁ ହେବାପର ଠାରୁ ରାଜ୍ୟ ସରକାର ଏଯାବତ୍ ଏବାବଦରେ ୨୦୦ କୋଟିର ଅତିରିକ୍ତ ରାଜସ୍ୱ ଆଦାୟ କରି ସାରିଲେଣି।
ତେବେ, ବିଦେଶୀ ମଦ ଉପରେ ଅନ୍ୟ ପଡ଼ୋଶୀ ରାଜ୍ୟମାନେ ଇତିମଧ୍ୟରେ ଲାଗୁ କରିଥିବା ସ୍ୱତନ୍ତ୍ର କୋଭିଡ୍ ଟିକସକୁ ପ୍ରତ୍ୟାହାର କରି ନେଇଥିବା କାରଣରୁ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମଦର ମୂଲ୍ୟ ଅଧିକ ରହିଛି। ଏ ପରିସ୍ଥିତିରେ ରାଜ୍ୟ ମଧ୍ୟକୁ ଚୋରା ଓ ବିଷାକ୍ତ ମଦର ଚାଲାଣ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
ଏଣିକି ୫୦ ପ୍ରତିଶତ ବଦଳରେ ରାଜ୍ୟ ସରକାର ବିଦେଶୀ ମଦ ଉପରେ ୧୫ ପ୍ରତିଶତର ଅତିରିକ୍ତ ଟିକସ ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଲାଗୁ ହେବ। ଏବଂ ୧୫ ପ୍ରତିଶତର ଅତିରିକ୍ତ ଟିକସ ସହ ବିଦେଶୀ ମଦର ନୂତନ ଦର ତାଲିକା ଖୁବଶୀଘ୍ର ରାଜ୍ୟ ପାନୀୟ ନିଗମର େଓ୍ଵବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।