ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍ : ବ୍ରିଟେନ୍‌ରୁ ଓଡ଼ିଶା ଫେରିଲେ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର: ବର୍ତ୍ତମାନ ସମଗ୍ର ବିଶ୍ବ ବ୍ରିଟେନରେ ଦେଖା ଦେଇଥିବା ରୂପାନ୍ତରିତ କରୋନା ଭୂତାଣୁର ପ୍ରକୋପ ନେଇ ଚିନ୍ତିତ। ଏହି ସଂକ୍ରମଣପ୍ରବଣ ଭୂତାଣୁ କିଭଳି ଭାରତକୁ କ୍ଷତିଗ୍ରସ୍ତ ନ କରିବ ସେ ଦିଗରେ ସରକାର ଚିନ୍ତିତ। ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷ କରି ବ୍ରିଟେନରୁ ଫେରୁଥିବା ଭାରତୀୟଙ୍କଠାରୁ ଏହି କିପରି ନ ବ୍ୟାପିବ ସେଥିଲାଗି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାର ମଧ୍ୟ ଅ‌ାଜି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି ଏକ ଗାଇଡଲାଇନ୍ ଜାରି କରିଛନ୍ତି।

ବ୍ରିଟେନରୁ ଆସି  ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନଙ୍କର ଆରଟି-ପିସିଆର୍‌ ଟେଷ୍ଟକୁ ବାଧ୍ୟତାମୂଳକ । ପ୍ରତି ଯାତ୍ରୀଙ୍କୁ ଏଣିକି ସଂଗରୋଧରେ ରହିବାକୁ ହେବ। ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ ହୋଇଛି । ଏଥିସହ ସେମାନେ ନିଜ ସଂପର୍କରେ ଏକ ଆତ୍ମଘୋଷଣା ପତ୍ର ମଧ୍ୟ ସ୍ବାସ୍ଥ୍ୟବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ସେହିପରି ଯେଉଁ ଯାତ୍ରୀମାନଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ସଂଗରୋଧ/ଏକାନ୍ତବାସ କେନ୍ଦ୍ରକୁ ପଠାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଭୁବନେଶ୍ୱର ମହାନଗର ନିଗମର କମିସନର, କ୍ୟାପିଟାଲ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ, ଝାରସୁଗୁଡ଼ା ଜିଲ୍ଲାପାଳ, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବ୍ରିଟେନ୍‌ରୁ ଫେରୁଥିବା ଓଡ଼ିଆମାାନେ ବାଧ୍ୟତାମୂଳକ ଭାବେ ୧୪ ଦିନ ସଂଗରୋଧରେ ରହିବେ। ସଂଗରୋଧରେ ଥିବା ସମୟରେ ଯଦି ବିଦେଶ ଫେରନ୍ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କର ଆରଟିପିସିଆର ନମୁନା ପରୀକ୍ଷା ହେବ। ନମୁନା ପରୀକ୍ଷା ସମୟରେ ଯଦି ସଂପୃକ୍ତ ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ହସ୍‌ପିଟାଲର ସଂଗରୋଧରେ ରହିବାକୁ ହେବ ଏବଂ ଗାଇଡଲାଇନ ଅନୁସାରେ ଚିକିତ୍ସିତ ହେବାକୁ ପଡ଼ିବ। ବ୍ୟକ୍ତି ଜଣକ ଯଦି ନେଗେଟିଭ ଚିହ୍ନଟ ହୁଅନ୍ତି ତା’ହେଲେ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବାକୁ ହେବ।

 

ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି । ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଭାଇରସ ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ବ୍ରିଟେନ୍‌ରେ ଏବେ ନୂଆ ଷ୍ଟ୍ରେନର କରୋନା ଭାଇରସ ବ୍ୟାପୁଥିବାରୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ଭାଇରସ ତୁଳନାରେ ଏହା ଅଧିକ ବ୍ୟାପୁଛି।

ସମ୍ବନ୍ଧିତ ଖବର