ଲକଡାଉନ୍ ପରେ ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ୩ ହେଲ୍ପଲାଇନ୍ ନମ୍ବର

ଆସନ୍ତାକାଲି ସକାଳୁ ଘଣ୍ଟାଏ ବନ୍ଦ ରହିବ ୧୦୪ ହେଲ୍ପଲାଇନ

ଭୁବନେଶ୍ୱର: ଓଡ଼ିଶା ସରକାର ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ଏବଂ ଓଡ଼ିଶାରେ ଫସିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ୩ଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡ.ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ଶ୍ରୀ ବାଗଚୀ କହିଛନ୍ତି, ଅନ୍ୟ ରାଜ୍ୟରେ ଫସିଥିିବା ଓଡ଼ିଆ ଲୋକଙ୍କ ପାଇଁ ହେଲ୍ପଲାଇନ (୦୬୭୪-୨୩୯୨୧୧୫) ସହିତ ଏକ ହ୍ୱାଟ୍ସଅପ ନମ୍ବର (୯୪୩୮୯୧୫୯୮୬) ଜାରି କରିଛନ୍ତି । ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଲୋକ ଏହି ୨ଟି ନମ୍ବର ମାଧ୍ୟମରେ ଓଡ଼ିଶା ସରକାରଙ୍କ ସହିତ ଯୋଗାଯୋଗ କରିପାରିବେ ।

ଏଥି ସହ କୋଭିଡ-୧୯ ପ୍ରସଙ୍ଗରେ ପଞ୍ଜିକରଣ ଲାଗି କରାଯାଇଥିବା ହେଲ୍ପଲାଇନ ନମ୍ବର ୧୦୪ ରବିବାର (ମାର୍ଚ୍ଚ ୨୯) ୧ ଘଣ୍ଟା ପାଇଁ ବନ୍ଦ ରଖାଯିବ । ଏହା ସକାଳ ୬ଟାରୁ ୭ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ହେଲ୍ପଲାଇନକୁ ବୈଷୟିକ ଉନ୍ନତିକରଣ କରାଯିବ। ଉଲ୍ଲେଖଯୋଗ୍ୟ କି, ୧୦୪ ହେଲ୍ପଲାଇନ୍ ନମ୍ବର ଓ କୋଭିଡ୍ ପୋର୍ଟାଲ୍ ମାଧ୍ୟମରେ ଏ ପର୍ଯ୍ୟନ୍ତ ୩୨୪ ଜଣ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଅନ୍ୟ ରାଜ୍ୟରୁ ୭ ହଜାର ୮୦ ଜଣ ଓଡ଼ିଆ ଫେରିଥିବା ବେଳେ ବିଦେଶରୁ ୪ ହଜାର ୨୮୬ ଜଣ ଫେରିଛନ୍ତି ।

ଶ୍ରୀ ବାଗଚୀ କହିଛନ୍ତି, ବାହାର ରାଜ୍ୟରୁ ଯେଉଁମାନେ ଓଡ଼ିଶାରେ ଫସିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଏକ ହେଲ୍ପଲାଇନ ନମ୍ବର (୧୮୦୦୩୪୫୬୭୦୩) ଜାରି କରିଛନ୍ତି । ଶ୍ରୀ ବାଗଚୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବାହାର ରାଜ୍ୟରେ କାମ କରୁଥିବା ୯୦୦୦ ଶ୍ରମିକ ଓଡ଼ିଶା ଫେରି ଆସିଛନ୍ତି । ଏମାନେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର , ଛତିଶଗଡ଼ ଆଦି ରାଜ୍ୟରେ କାମ କରୁଥିଲେ ।

ରାଜ୍ୟ ସରକାରଙ୍କ ରେସିଡେନ୍ସିଆଲ୍ କମିସନର ବାହାର ରାଜ୍ୟର ରେସିଡେନ୍ସିଆଲ୍ କମିସନରଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ବାହାର ରାଜ୍ୟରୁ ଓଡ଼ିଆମାନଙ୍କୁ କିଭଳି ଫେରାଇ ଅଣାଯାଇପାରିବ ସେ ବବାବଦରେ ଆଲୋଚନା କରିଛନ୍ତି । ଅପରପକ୍ଷେ ଓଡ଼ିଶାରେ ଫସିଥିବା ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ଛାଡ଼ିଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

ଏଣିକି ତେଜରାତି ଦୋକାନରେ ପଶୁଖାଦ୍ୟ ବିକ୍ରି କରାଯାଇପାରିବ । ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଲକଡାଉନ ଜାରି ରହିଛି । ଆସନ୍ତାକାଲି ଗୋଟିଏ ସପ୍ତାହ ପୂରା ହେବ । ଏହାରି ମଧ୍ୟରେ ୨୭ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ୩୨୪ଟି ମାମଲା ରୁଜୁ ହୋଇଛି । ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ପୋଲିସ ୩୦୮ ମାମଲା ରୁଜୁ କରିଛି । ସେହିପରି ହୋମ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରିବା ମାମଲାରେ ୧୫ଟି ମାମଲା ଓ କୋଭିଡ-୧୯କୁ ଉଲଂଘନ କରିବା ଅଭିଯୋଗରେ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ମହାମାରୀ କରୋନା ଭାଇରସ ବିଶ୍ୱର ୧୯୯ଟି ଦେଶକୁ ପହଞ୍ଚିଛି । ଏହି ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୬ ଲକ୍ଷ ୧ ହଜାର ୨୦ ଜଣ ଲୋକ ସଂକ୍ରମିତ ଅଛନ୍ତି । ଆଜି ଦିନ ୨ଟା ୪୦ ସୁଦ୍ଧା ମୋଟ ୨୭ ହଜାର ୪୪୧ ଜଣ ଜୀବନ ହରାଇଛନ୍ତି । ଭାରତରେ ୭୭୫ ଜଣ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା କାଲି ଭଳି ୨୦ରେ ସୀମିତ ଅଛି । ଆଜି ଅପରାହ୍ନ ୨ଟା ୪୦ ପର୍ଯ୍ୟନ୍ତ କୌଣସି ଲୋକଙ୍କର ମୃତ୍ୟୁ ସୂଚନା ମିଳି ନାହିଁ ବୋଲି ଶ୍ରୀ ବାଗଚୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର