ଭୁବନେଶ୍ବର/ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଯେଉଁଭଳି ଭାବେ ଚିନ୍ତା କରୁଛନ୍ତି ଯାହା ଭଲ ହେବ ସେ ତାହା କରିବେ। ଏହି ପ୍ରସଙ୍ଗରେ ତର୍ଜମା କରାଯାଉଛି, ଯାହା ହୋଇପାରିବ ତାହା ରାଜ୍ୟ ସରକାର କରିବେ। ମାନ୍ୟବର ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତର୍ଜମା କରି ନେଇଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବିଚାରବିମର୍ଶ କରି ଯାହା ଭଲ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Advertisment

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ୧୨ ତାରିଖରେ ସମ୍ବଲପୁରରେ ଅପ୍ରୀତିକର ଘଟଣା ଘଟିଥିଲା। ଓକିଲଙ୍କ ସମେତ କିନ୍ନର ଓ ସାଧାରଣ ଜନତା ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା କରିଥିଲେ। ଫଳରେ ସୁପ୍ରିମକୋର୍ଟ ଏସଂପର୍କରେ ଅବଗତ ହୋଇଥିଲେ। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚର ଆବଶକ୍ୟକତା ନାହିଁ ବୋଲି କହିଥିଲେ। ସେହିପରି ଜାତୀୟ ବାର କାଉନସିଲ କିଛି ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଥିଲା। ସମ୍ବଲପୁର ବାର ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସ ପରବର୍ତ୍ତୀ ଆଦେଶ ଯାଏଁ ସସ୍‌ପେଣ୍ଡ କରିଥିଲା। ଭଙ୍ଗାରୁଜା ମାମଲାରେ ପୁଲିସ ୩୭ ଜଣଙ୍କୁ ଗିରଫ କରିଥିଲା। ଗିରଫମାନଙ୍କ ମଧ୍ୟରେ ୮ ଜଣ କିନ୍ନର ଓ ଜଣେ ସାଧାରଣ ନାଗରିକ ଥିଲେ। ତେବେ ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ଜଜ କୋର୍ଟରେ ଜାମିନ ଆବେଦନ କରାଯାିଛି। ଆସନ୍ତା ୨୨ ତାରିଖରେ ଏହାର ଶୁଣାଣି ହେବ। ମୋଟ ୩ଟି ମାମଲାରେ ୩୭ ଜଣ ଗିରଫ ହୋଇଛନ୍ତି। ସେଥିରୁ ଗୋଟିଏ ମାମଲାରେ ୨୨, ଅନ୍ୟଟିରେ ୧୪ ଜଣ ଓ ଶେଷ ଆବେଦରେ ଜଣେ ଅଛନ୍ତି।

publive-image

ଭୁବନେଶ୍ବର ବାର ଆସୋସିଏସନର ସାଧାରଣ ସଂପାଦକ ରାଜକିଶୋର ଦାସ, ପୂର୍ବତନ ସଭାପତି ନିର୍ମଳ କିଶୋର ରଥ, ବାଲେଶ୍ବର ସଭାପତି ମନୋଜ ନାୟକଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୋମବାର ୨୦ ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିଥିଲେ। ଏହି ଟିମ୍‌ ସମ୍ବଲପୁର ଓକିଲ ସଂଘର ସଦସ୍ୟମାନଙ୍କୁ ଭେଟିଥିଲେ। ଜେଲକୁ ଯାଇ ଗିରଫ ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ବହିଦାରଙ୍କୁ ଭେଟିଥିଲେ। ୧୧ ଜଣ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ନେଇ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଭେଟିଥିଲେ। ଏଥି ସହିତ ପ୍ରତିନିଧି ଦଳ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ମଧ୍ୟ ଭେଟିଥିଲେ। ସ୍ବାଭାବିକ ବାତାବରଣ ଫେରି ଆସିବା ଦିଗରେ ପଦକ୍ଷେପ ନେବା ଓ ସରକାର ଏଭଳି କୌଣସି ପଦକ୍ଷେପ ନ ନିଅନ୍ତୁ ଯାହାଦ୍ବାରା କି ପରିସ୍ଥିତି ଜଟିଳ ସ୍ଥିତିକୁ ନଯାଉ, ଏଦିଗରେ ମଧ୍ୟ ଅନୁରୋଧ କରିଥିଲେ।

ଏହା ପୂର୍ବରୁ ସମ୍ବଲପୁର ବାର୍ ଆସୋସିଏସନ୍‌ର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍‌ପେଣ୍ଡ୍‌ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ପ୍ରତ୍ୟାହାର କରାଯାଇଛି। ସମ୍ବଲପୁର ଅଦାଲତ ପରିସରରେ ହୋଇଥିବା ଘଟଣାରେ ସଂପୃକ୍ତ ୫୪ ଜଣ ଆଇନଜୀବୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଥିବା ପ୍ରସଙ୍ଗକୁ ବିଚାରକୁ ନେଇ ବିସିଆଇ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସମ୍ବଲପୁର ଘଟଣାରେ ଡିସେମ୍ବର ୧୨ରେ ୨୯ ଜଣ, ୧୩ରେ ୧୪ଜଣ ଓ ୧୬ ତାରିଖରେ ୧୧ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଇନଜୀବୀମାନଙ୍କୁ ଛାଡ଼ି ସମ୍ବଲପୁର ଅଦାଲତରେ ଓକିଲାତି କରୁଥିବା ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ବିସିଆଇ ପକ୍ଷରୁ ଡିସେମ୍ବର ୧୬ରେ ଜାରି ନିର୍ଦ୍ଦେଶନାମାରେ ଏଭଳି କଥା ସ୍ପଷ୍ଟ କରାଯାଇଛି। ତେବେ ଓକିଲମାନେ ନିଜର ସ୍ବାଭିମାନଙ୍କୁ ଜାରି ରଖିଛନ୍ତି। ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। ଫଳରେ କୋର୍ଟରେ ଅଚଳାବସ୍ଥା ଜାରି ରହିଛି।