ଜୟପୁର: ଜଗନ୍ନାଥସାଗର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାଦନ ମିଳିଛି ୨ କୋଟି। ଏହି ଟଙ୍କାକୁ କିଭଳି ବିନିଯୋଗ କରାଯାଇ ସାଗର ତଟ ସୁରକ୍ଷା ସହ ପାରିପାର୍ଶ୍ବିକ ଉନ୍ନୟନ କାମ କରାଯିବ ସେ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଶନିବାର ତଦାରଖ କରିଥିଲେ। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କାଉନସିଲର, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନୀ, ପୌରକର୍ମଚାରୀ ଆଦି ଭାଗ ନେଇଥିଲେ।
ରାଜ୍ୟସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବ ଆଦିନିକଟକୁ ବାରମ୍ବାର ଚିଠି ଦେବା ଏବଂ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବା ଏବଂ ଡିପିଆର ଦାଖଲ କରାଇବା ପରେ ଏହି ୨କୋଟି ଟଙ୍କା ମିଳିଛି ବୋଲି କହିଛନ୍ତି ବିଧାୟକ। ଶନିବାର ସେ ପ୍ରଥମେ ପଂଚାନନ ମନ୍ଦିର ନିକଟରେ ହାଲର ସହଯୋଗରେ ଚାଳିଥିବା ଉନ୍ନୟନ କାମର ତଦାରଖ କରିଥିଲେ। ତା ପରେ ଚନ୍ଦନବାଡ଼ ସାହି ହାଇସ୍କୁଲ ସମ୍ମୁଖରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ପୌରପାଳିକା ପକ୍ଷରୁ ଏହି ବସ୍ତି ଅଂଚଳର ୪୦ଟି ପରିବାରକୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ପାଇଁ ପ୍ରଥମେ ସମସ୍ତ ରକମର ସେବା ଓସୁବିଧା ଥିବା କଲୋନୀ ନିର୍ମାଣ କରାଯିବା ପରେ ହିଁ ସ୍ଥାନାନ୍ତର କରାଯିବ ବୋଲି ବିଧାୟକ ବସ୍ତି ବାସିନ୍ଦାଙ୍କୁ ପ୍ରତିଶ୍ରୃତି ଦେଇଥିଲେ। ସହରର ଅତି ନିକଟରେ ଏହି କଲୋନି ନିର୍ମାଣ କରାଯିବ ବୋଲି ବି କହିଥିଲେ। ତା ସହ ସାଗର ପାର୍ଶ୍ବରେ ଥିବା ବିଭିନ୍ନ ସାହି ବାସିନ୍ଦାଙ୍କ ସହ ବିଧାୟକ ଆଲୋଚନା କରିବା ସହ ସାଗରର କିଭଳି ଉନ୍ନୟନ କରାଯିବାର ଆବଶ୍ୟକତା ରହିଛି ମତ ନେଇଥିଲେ।
/sambad/media/post_attachments/wp-content/uploads/2023/05/jpr-sagar--1024x576.jpg)
ରାଜ୍ୟ ସରକାରଙ୍କୁ ବିଧାୟକ ଧନ୍ୟବାଦ ଦେବା ସହ ଐତିହାସିକ ତଥା ସହରବାସୀଙ୍କ ସ୍ବାଭିମାନ ସହ ଜଡ଼ିତଥିବା ସାଗରର ପୁନଃରୁଦ୍ଧାର ଓ ସାମଗ୍ରୀକ ବିକାଶରେ ଦଳମତ ନିର୍ବିଶେଷରେ ଏକ ହେବାକୁ ପଡ଼ିବ ବୋଲି କହିଛନ୍ତି। ଏନଜିଟିର ନିର୍ଦେଶ ମୁତାବକ, ଏହାର ପଙ୍କ ଆଦି ଉଦ୍ଧାର କରିବା ପାଇଁ ଏହାରି ମଧ୍ୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌରଅଧ୍ୟକ୍ଷ ବେଙ୍ଗାଲୁରୁ ଯାଇ ବୈଷୟିକ ଟିମ୍ ସହ ଆଲୋଚନା କରି ଫେରିଛନ୍ତି। ଏହି ଟିମ୍ ଅଳ୍ପ ଦିନ ମଧ୍ୟରେ ଆସି ସାଗରରୁ କିଭଳି ପଙ୍କ, ମାଟି ଆଦି ଉଦ୍ଧାର କରାଯାଇ ହେବ ଏବଂ କିଭଳି ଏହା ପୁର୍ନଃଜୀବିତ ହେବ ସେ ଦିଗରେ ବୈଷୟିକ ପରାମର୍ଶ ଓ ଖର୍ଚ୍ଚର ବ୍ୟୟବରାଦ ଦେବେ ବୋଲି କହିଛନ୍ତି ବିଧାୟକ। ତାହା ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ନିକଟକୁ ପୁଣି ଜଣାଇ ଏହାର ପୁନଃରୁଦ୍ଧାର କରାଯିବ ବୋଲି କହିଛନ୍ତି ବିଧାୟକ। ସାଗରର ସଂପୁର୍ଣ୍ଣ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ , ପାରିପାର୍ଶ୍ବିକ ଉନ୍ନୟନ ଆଦି କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ସଂପୁର୍ଣ୍ଣ ପ୍ରକଳ୍ପ ବିବରଣୀ ରିପୋର୍ଟ (ଡିପିଆର) ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ନିକଟକୁ ଯାଇଥିଲା। ଏହି କ୍ରମରେ ରାଜ୍ୟ ସରକାର ୨କୋଟି ଟଙ୍କାର ଅନୁଦାନ ପ୍ରାଥମିକ ପର୍ଯ୍ୟାୟରେ ଦେଇଛନ୍ତି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jpr-sagar-2.jpg)