ଏକ୍‌ମୋ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଏକ୍‌ମୋ ମେସିନ୍ ନଥିବାରୁ ବହୁ କରୋନା ଆକ୍ରାନ୍ତ ବାଧ୍ୟ ‌ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଏହାକୁ ଭରଣା କରିବା ସାଧାରଣ ବର୍ଗର ରୋଗୀଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ଇକ୍‌ମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଉଥିବା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ଦିଆଯାଉ ବୋଲି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନିବେଦନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତ ପ୍ରଧାନ, ଦୀପକ ଦାସ, ଦିବ୍ୟରଂଜନ, ଅଭିଷେକ ମହାପାତ୍ର, ସଂଗ୍ରାମ ଜେନା ପ୍ରମୁଖ ଯୁବକମାନେ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି। ସମୀର ପ୍ରଧାନ ନାମକ ଏକ ଯୁବକ ଏବେ ଏକ୍‌ମୋ ଚିକତ୍ସା ଅଭାବରୁ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସରକାର ଏମାନଙ୍କର ଚିକିତ୍ସା ଖର୍ଚ୍ଚ ବହନ କଲେ ସେମାନଙ୍କ ଜୀବନ ବଞ୍ଚିଯାଇପାରେ। ଅପରପକ୍ଷେ ନିକଟରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ, ଭାରତର ସମ୍ବିଧାନ ଅନୁଚ୍ଛେଦ-୨୧ ଅନୁସାରେ ସ୍ବାସ୍ଥ୍ୟ ମୌଳିକ ଅଧିକାର ଏବଂ ରୋଗୀଙ୍କୁ ମହାମାରୀ ସମୟରେ ସୁଲଭ ମୂଲ୍ୟରେ ସବୁ ପ୍ରକାରର ଚିକିତ୍ସା ଯୋଗାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ। ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ସରକାର ଏ ଦିଗରେ ସହଯୋଗର ହାତ ବଢ଼ାଇବା ଦରକାର। ଏହାଛଡ଼ା ଶ୍ରୀ ମାଝୀ ଏହି ଅବସରରେ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ କଟାକ୍ଷ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପିସିସି ମୁଖପାତ୍ର ସୁଦର୍ଶନ ଦାସ କହିଥିଲେ ଯେ, ରାଜ୍ୟ ସରକାର କୋଭିଡ ମୃତ୍ୟୁକୁ ନେଇ ମିଥ୍ୟା ତଥ୍ୟ ଦେଉଛନ୍ତି। ଗତ ମେ ୧ରୁ ୧୫ତାରିଖ ମଧ୍ୟରେ ଭୁବନେଶ୍ବର ସତ୍ୟନଗର ମଶାଣିରେ ୬୫୦ଜଣ ଏବଂ କଟକ ସତିଚଉରା ମଶାଣିରେ ୪୬୦ଜଣ କରୋନା ଆକ୍ରାନ୍ତଙ୍କ ଶବଦାହ ହୋଇଥିଲା। ମାତ୍ର ସେହି ସମୟରେ ମାତ୍ର ୩୯୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପୋର୍ଟାଲ କହୁଛି। ଏପରିକି ଏହି ସମୟରେ ରାଜ୍ୟର ବିଭିନ୍ନ ମଶାଣିରେ ୨୦୦୦ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଛି। ଓଡ଼ିଶା ସରକାର ବିହାର ସରକାରଙ୍କ ପରି ପ୍ରତି କରୋନା ମୃତକଙ୍କ ପରିବାରୁ ୪ଲକ୍ଷ ଟଙ୍କାର ସହାୟତା ଦିଅନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର