‘ଅଗ୍ନିବୀର’ଙ୍କ ପାଇଁ ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା କରନ୍ତୁ: ଅପରାଜିତା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଜଳୁଥିବା ନିଆଁ ଥମିବା ନାଁ ଧରୁନି। ଦିନକୁ ଦିନ ବିରୋଧ ବଢ଼ିବାରେ ଲାଗିଛି। ବିକ୍ଷୋଭକାରୀମାନେ ଜାତୀୟ ସଂପତ୍ତି ନଷ୍ଟ କରୁଛନ୍ତି। ୪ ବର୍ଷ ପରେ ଛଟେଇ ‘ଅଗ୍ନିବୀର’ କ’ଣ କରିବେ, ସେ ନେଇ ଚିନ୍ତା ବଢ଼ିଥିବା ବେଳେ ୨୦୦୧ରେ ପ୍ରିଲିମିନାରି ପରୀକ୍ଷା ପାସ୍‌ କରି ମେନ୍‌-ପରୀକ୍ଷାକୁ ଅପେକ୍ଷା କରିଥିବା ଆଶାୟୀ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଭୁବ‌ନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଅଗ୍ନିବୀରଙ୍କ ପାଇଁ ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ଅଗ୍ନିବୀରଙ୍କୁ ଅର୍ଦ୍ଧ-ସାମରିକ ବଳରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟ ମଧ୍ୟ ପୁଲିସ ବଳରେ ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବାକୁ ଘୋଷଣା କରିଛନ୍ତି। ଏଣୁ ଓଡ଼ିଶା ସରକାର ମଧ୍ୟ ଓଡ଼ିଶା ପୁଲିସରେ ନିଯୁକ୍ତି ବେଳେ ଏମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଏହି ଯୋଜନାକୁ ବୁଝିପାରୁ ନଥିବାରୁ ଅନେକେ ଏହାର ବିରୋଧ କରୁଛନ୍ତି। ଏଣୁ ଥରେ ଯୋଜନାକୁ ବୁଝନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୪ ତାରିଖରୁ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର