ଭୁବନେଶ୍ବର: ରାଜ୍ୟର ସର୍ବାଧିକ ଲୋକପ୍ରିୟ ଏବଂ ପଠିତ ଦୈନିକ ‘ସମ୍ବାଦ’କୁ ଗତମାସ ୨୮ ତାରିଖ ଠାରୁ ରାଜ୍ୟ ସରକାର ବିଜ୍ଞାପନ ବନ୍ଦ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ‘ସମ୍ବାଦ‘ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ରାଗ ରଖି ‘ସମ୍ବାଦ’କୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି। କୌଣସି ପତ୍ରପତ୍ରିକା କାହାର ଦୟାରେ ଚାଲେ ନାହିଁ। ଯଦି କାହାର ଆଶୀର୍ବାଦ ବେଶୀ ଲୋଡ଼ା, ସେମାନେ ହେଉଛନ୍ତି ଗ୍ରାହକ ଓ ପାଠକ। ଯେତେବେଳେ ଯାଏଁ ପାଠକଙ୍କ ଆଶୀର୍ବାଦ ଥିବ, ଆମେରିକା କି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିଛି କରିପାରିବେ ନାହିଁ। ମୋର ଏହି ବିଶ୍ୱାସ ମୋର ରହିଛି।

Advertisment

ଜଗତସିଂହପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ  ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜୁ ଜନତା ଦଳ (ବିଜେଡି) କାହାର ପୈତୃକ ସମ୍ପତ୍ତି ନୁହେଁ। ଯେଉଁମାନେ ଇସ୍ତଫା କଥା କହୁଛନ୍ତି, ଦଳ କ’ଣ ତାଙ୍କର? ମୋ କଥାକୁ ବହୁତ ଲୋକେ ସମର୍ଥନ କରୁଛନ୍ତି। ମୁଁ ଠିକ୍ କହୁଛି ବୋଲି ସେମାନେ କହୁଛନ୍ତି। ତେଣୁ କିଏ କ’ଣ ଭାବିଲା ନଭାବିଲା ମୋର ସେଥିରେ କିଛି କହିବାର ନାହିଁ।