ବିଧାୟକଙ୍କୁ ଦୁର୍ବ୍ୟବହାର: ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍‌ ପଡ଼ିଲା ‘କଳିଙ୍ଗ ହସ୍‌ପିଟାଲ୍‌’

ଭୁବନେଶ୍ୱର: ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଦ୍ୱାରା ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଳିଙ୍ଗ ହସ୍‌ପିଟାଲ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍‌ ପଡ଼ିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୃହରେ ବିବୃତ୍ତି ରଖିଛନ୍ତି। ନବ ଦାସ କହିଛନ୍ତି, ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟହାର ସଂପର୍କରେ ଶୁକ୍ରବାର ମାନ୍ୟବର ବାଚସ୍ପତି ରୁଲିଂ ଦେଇଥିଲେ। ଏହାପରେ ସ୍ୱସ୍ଥ୍ୟ ବିଭାଗକୁ ଏ ସଂପର୍କରେ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଶୁକ୍ରବାର (୧୯.୦୭.୨୦୧୯) ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍‌) ତାଲିକାରୁ ବାଦ୍‌ ଦିଆଯାଇଛି।

ସେହିପରି ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ କି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି ସେହିସବୁ ଡାକ୍ତରଖାନା ଗୁଡିକ ଯେପରି ଓଏସଟିଏଫରେ ମାର୍ଗଦର୍ଶିକାକୁ ନିୟମାନୁସାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏଭଳି ଘଟଣା ଆଗାମୀ ଦିନରେ ପୁନରାବୃତ୍ତି ଯେପରି ନଘଟେ ସେଥିପାଇଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତଦାରଖ କରିବା ନିମନ୍ତେ ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି।

ସମ୍ବନ୍ଧିତ ଖବର