ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଯେଉଁ ଯେଉଁ ପ୍ରସଙ୍ଗରେ ଅକଳରେ ପଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଆଜି ସେହି ପ୍ରସଙ୍ଗଗୁଡ଼ିକୁ ଉଠାଇଛନ୍ତି। ଏହାସହ ବିଜେଡି ଯେଉଁ କାର୍ଯ୍ୟକ୍ରମକୁ ରୂପାନ୍ତର ବୋଲି କହୁଛି ତାହାକୁ ବି କଡ଼ା ସମାଲୋଚନା କରିଛନ୍ତି।
ଆଗାମୀ ଦିନରେ କେନ୍ଦ୍ରୀୟ ଅବହେଳା କଥା ଉଠାଇବାକୁ ବିଜେଡିର ନିଷ୍ପତ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ଓଡ଼ିଶାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା, ମମିତା ମେହେର ହତ୍ୟାକାଣ୍ଡରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଓ ଦାଦନ ସମସ୍ୟା ଯଦି ୨୫ବର୍ଷ ଶାସନର ପ୍ରତିଫଳନ; ତେବେ ମହାପ୍ରଭୁଙ୍କ ଶରଣରେ ଯିବାକୁ ହେବ। ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ କେଉଁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୁଲିସ ଗୁଳି କରୁଛି? କେଉଁ ରାଜ୍ୟରେ ମମିତା ମେହେର ଭଳି ଝିଅର ନୃଶଂସ ହତ୍ୟା ହେଉଛି, ଯେଉଁ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତି ରହିଛି? ଜନଜାତିଙ୍କ ଜମି ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର କରିବା ଓ ଲୋକଙ୍କୁ ପାଣି ମୁନ୍ଦେ ଦେବାରେ ବିଫଳ ହେବା କ’ଣ ରୂପାନ୍ତର କି?
କେଉଁ ରାଜ୍ୟରେ ଦୁର୍ନୀତି କରିବା ପାଇଁ ୨୫ ବର୍ଷ ହେବ ଅବକାରୀ ନୀତି ବଦଳାଯାଇନାହିଁ? ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମୋଦୀ ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ତେବେ କେଉଁ ରାଜ୍ୟରେ ଗରିବଙ୍କ ପାଇଁ ଏତେ ମାତ୍ରାରେ ଆସୁଥିବା ଟଙ୍କା ବାଟମାରଣା ହେଉଛି ? ଆଜି ଓଡ଼ିଶାରେ ସାଢ଼େ ୪ କୋଟି ଲୋକଙ୍କ ମଧ୍ୟରୁ ୧ କୋଟି ଲୋକ ବାପା ମା’ ଓ ଆତ୍ମୀୟଙ୍କୁ ଛାଡ଼ି ରୋଜଗାର ଆଶାରେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଆୟକର ଚଢ଼ଉ ସଂପର୍କରେ ଶ୍ରୀ ପ୍ରଧାନ କହିଲେ ଯେ କଂଗ୍ରେସ ସରକାରର ଏଟିଏମ୍ ଥିଲେ ଧୀରଜ ସାହୁ। ଜବତ ହୋଇଥିବା ଶହ ଶହ କୋଟି ଟଙ୍କା କାହାର? ଏ ଟଙ୍କା ଆସିଲା କେଉଁଠୁ? ଏହି ଟଙ୍କାର ଲାଭାର୍ଥୀ କେଉଁମାନେ? ଯେଉଁମାନେ ଏହାର ଲାଭାର୍ଥୀ ଥିଲେ, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ରାଜ୍ୟର ଅବକାରୀ ନୀତିର ନିର୍ଧାରକ ଥିଲେ ଧୀରଜ ସାହୁ। ଯେଉଁ ଘଟଣା ଘଟିଲା, ଓଡ଼ିଶାର ଦୁର୍ନୀତିର ଉଇ ଲାଗିଥିବା ଅବକାରୀ ନୀତି ହିଁ ମୁଖ୍ୟ କାରଣ । ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ଉତ୍ତର ଦେବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।