ସ୍କୁଲ ଫି ଛାଡ଼ ପ୍ରସଂଗ : ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ, ସରକାର କହିବେ କେତେ ପ୍ରତିଶତ ଫି ଛାଡ କରି ହେବ

କଟକ : ସ୍କୁଲ ଫି’ ଛାଡ ପ୍ରସଂଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। କେତେ ପ୍ରତିଶତ ଫି ଛାଡ କରି ହେବ ସେ ନେଇ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ। ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ ହେବ।

ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବ ଓ ଏ ସଂପର୍କିତ ଏମ୍‌ଓୟୁକୁ ଗ୍ରହଣ କରି ଉପଯୁକ୍ତ ନି‌ର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ୨୦୨୦, ସେପ୍ଟେମ୍ବର ୧ର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଆଲୋଚନା ପରେ ବିଭିନ୍ନ ଅଂଶୀଦାରଙ୍କ ପ୍ରାୟ ସହମତିରେ ସ୍କୁଲ ଫି ଛାଡ଼ ପ୍ରସଂଗରେ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଓ ଏ ସଂପର୍କିତ ଏକ ଏମଓୟୁ ୧୪ ଜଣ ସ୍ବାକ୍ଷର କରିଥିଲେ।

Ommcom News

ଏଠାରେ ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ସେପ୍ଟେମ୍ବର ୨୯ରେ ହାଇକୋର୍ଟରେ ଦାଖଲ ହୋଇଥିଲା। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ସମ୍ମତି ପ୍ରକାଶ କରିଥିବା ବେଳେ ରିଟ୍ ପିଟିସନ୍ ନମ୍ବର.୧୧୨୯୯/୨୦୨୦ର ଆବେଦନକାରୀଙ୍କ ପ୍ରତିନିଧି ସମ୍ମତି ପ୍ରଦାନ କରି ନଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ଅନ୍ୟପକ୍ଷରେ କେତେକ ଘେରାଇ ସ୍କୁଲ ପକ୍ଷରୁ ଏପରି ରିପୋର୍ଟକୁ ବିରୋଧ କରାଯାଇ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ ଏପରି ଆଲୋଚନାରେ ସେମାନେ ପକ୍ଷ ନଥିବା ବେଳେ ସ୍କୁଲ ଫି ଛାଡ଼ ସଂପର୍କିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଘରୋଇ ସ୍କୁଲ ସଂଘ, ଶିକ୍ଷକ ସଂଘ, ଆବେଦନକାରୀଙ୍କ ପ୍ରତିନିଧି ଓ ଗଣଶିକ୍ଷା ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠରେ ଏହି ପ୍ରସଂଗର ଆପୋସରେ ସମାଧାନ ପାଇଁ ଉଦ୍ୟମ କରାଯାଇ ଏପରି ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବା ଉଚିତ।
ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌, ସ୍କୁଲ ଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇ ସ୍କୁଲ ପିଟିସନ୍ ଦାଖଲ କରିଥିଲେ। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର