ଭୁବନେଶ୍ୱର: ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ସରକାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ମଙ୍ଗଳବାର କୃଷିମନ୍ତ୍ରୀ କହିଛନ୍ତି ଯେ, ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଇନସେଣ୍ଟିଭ ଦେବେ। ସରକାର ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇ ବା ପାଇଁ ବିଭିନ୍ନ ଅଫର ଦେବାକୁ ଯୋଜନା କରିଛନ୍ତି । କେନ୍ଦ୍ର କୃଷି ବଜେଟରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ। ବର୍ତ୍ତମାନ ୧୯ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ। ରାଜ୍ୟର ୧୭୭ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ସେହିପରି ପଣସ, ଫୁଲ, ମସଲା ଓ ଛତୁ ମିଶନ ମଧ୍ୟ ହାତକୁ ନେଉଛନ୍ତି ସରକାର।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି। ସଂପ୍ରତି ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧିକରଣ କାର୍ଯ୍ୟ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଗ୍ଧ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ରଖାଯାଇଛି। ରାଜ୍ୟ କ୍ୟାବିନେଟ୍ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ମିଲେଟସ୍‌ ଚାଷର ପ୍ରୋତ୍ସାହନ ନିମନ୍ତେ ୨୮୦୮ ‌କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

publive-image

ଏହି ପରିପ୍ରେକ୍ଷୀରେ ‘ଫସଲ ବିବିଧିକରଣକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା’ ସଂପର୍କରେ ଏକ ବୈଷୟିକ ଉପସ୍ଥାପନା ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ କରାଯାଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କଳାହାଣ୍ଡି ଜିଲ୍ଲାପାଳ ସୁଶ୍ରୀ ଅନ୍ବେଷା ରେଡ୍ଡି ଏବଂ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଂଶଗ୍ରହଣ କରିଥିଲେ।

ବୈଷୟିକ ଅଧିବେଶନରେ କୃଷତି ନୀତିର ବିକାଶ ପ୍ରକ୍ରିୟା, ସଫଳତା, ଆହ୍ବାନ ଏବଂ ଏହାର ଭବିଷ୍ୟତର ସମ୍ଭାବନା ଉପରେ ପ୍ରମୁଖତା ପ୍ରଦାନ କରାଯାଇଥିଲା। ସବୁଜ ବିପ୍ଲବ ଦ୍ବାରା ଯଦିଓ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଥିଲା, କିନ୍ତୁ ଏହାର ନକରାତ୍ମକ ପ୍ରଭାବ ଯୋଗୁଁ ଚାଷଜମିରେ ଅବନତି, ଭୂତଳ ଜଳ ହ୍ରାସ, ମୃତ୍ତିକାର ଉର୍ବରତା ହ୍ରାସ ଏବଂ ଜୈବବିବିଧତା ହ୍ରାସ ପାଉଛି। ସର୍ବୋପରି ଏହା ଦ୍ବାରା ଫସଲର ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ କରିବା କ୍ଷମତା ହ୍ରାସ ପାଉଛି। କ୍ରମାଗତ ହ୍ରାସ ପାଉଥିବା ପ୍ରାକୃତିକ ସଂପଦ ପୃଷ୍ଟିହୀନତା ସମସ୍ୟାକୁ ଜଟିଳ କରିଛି।

ଉପରୋକ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ବୈଠକରେ ବିଭିନ୍ନ ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ଫସଲ ଚାଷ, ଶସ୍ୟକ୍ଷେତ୍ରର ପରିବର୍ତ୍ତନ ଆଦି ରଣନୀତି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏପରି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନକୁ ସୁହାଇବା ପରି ଫସଲର ବିବିଧିକରଣ ଆଦି ରୂପାନ୍ତରଣମୂଳ ରଣନୀତି ଭାବରେ ଗ୍ରହଣ କରାଯାଇପାରେ। ଓଡ଼ିଶା ପରିପ୍ରେକ୍ଷୀରେ ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଉପଲବ୍ଧ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର ନିଜର ଚାଉଳ ଚାହିଦା ପୂରଣ କରିବା ପରେ ୪୦ ଲକ୍ଷ ଟନ୍‌ରୁ ଊର୍ଦ୍ଧ୍ବ ଚାଉଳ ବଳକା ରହୁଛି। ଏହି ପରିପ୍ରେକ୍ଷୀରେ ଫସଲର ବିବିଧକରଣ କରି ଡାଲି, ତୈଳବୀଜ, ମିଲେଟ୍‌ସ, ଉଦ୍ୟାନ କୃଷି ଓ ବୃକ୍ଷରୋପଣ ଆଦି କରାଯିବାର ପର୍ଯ୍ୟାପ୍ତ ସୁଯୋଗ ରାଜ୍ୟରେ ରହିଛି।

publive-image

ଓଡ଼ିଶା ମିଲେଟସ୍ ମିଶନର ଉଲ୍ଲେଖନୀୟ ସଫଳତା ଫସଲ ବିବିଧିକରଣର ଏକ ଆଦର୍ଶ ଉଦାହରଣ ଭାବରେ ବୈଠକରେ ଉପସ୍ଥାପନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା ମିଲେଟସ୍ ଶସ୍ୟକ୍ଷେତ୍ରରୁ ଖାଦ୍ୟଥାଳି ନେବାର ପନ୍ଥା କ୍ଷୁଦ୍ରଶସ୍ୟକୁ ପୁନର୍ଜୀବିତ କରିବା ନିମନ୍ତେ ଉପଯୁକ୍ତ ରୂପରେଖ ଭାବରେ ବିବେଚିତ ହୋଇଛି । ମାଣ୍ଡିଆ ଦିବସ ପାଳନ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହିତ ସମସ୍ତ ଅଂଶୀଦାରଙ୍କୁ ଜଡ଼ିତ କରି ତୃଣମୂଳସ୍ତରରେ ଉଲ୍ଲେଖନୀୟ ରୂପାନ୍ତରଣ ଅଣାଯାଇପାରିଛି। ଓଡ଼ିଶା ମିଲେଟସ୍‌ ମିଶନର ସଫଳତାକୁ ଅଭିଜ୍ଞତାକୁ ଆଧାର କରି କୃଷକମାନଙ୍କର ଲକ୍ଷ୍ୟର ମୂଲ୍ୟାୟନ ଏବଂ ଫସଲ ବିବିଧିକରଣ ନିମନ୍ତେ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ନିୟମିତ ମୂଲ୍ୟାୟନ ଓ ଏହାର ଉନ୍ନତିକରଣ ଫସଲ ବିବିଧ୍ଵରଣ ରଣନୀତିର ଏକ ମୁଖ୍ୟ ଅଙ୍ଗ ବୋଲି ଆଲୋଚକମାନେ ମତପୋଷଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପ ଏବଂ ବୃଷ୍ଟିପୁଷ୍ଟ ଅଞ୍ଚଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୭ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ଵ ଜମିରେ ଡାଲିଜାତୀୟ ଫସଲ, ୧୫ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ଵ ଜମିରେ ତୈଳବୀଜ, ୬.୫ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ଵ ଜମିରେ ମିଲେଟସ୍, ୦.୬୨ ଲକ୍ଷ ହେକ୍ଟର ଜମିରେ ଉଦ୍ୟାନ କୃଷି, ୦.୪୪ ଲକ୍ଷ ହେକ୍ଟର ଜମିରେ ପନିପରିବା, ୦.୨୮ ଲକ୍ଷ ହେକ୍ଟର ଜମିରେ ମସଲା ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ ବୋଲି କୃଷି ବିଭାଗ ଆଶା କରୁଛି । ଏତଦ୍‌ବ୍ୟତୀତ, ପଣସ, ଛତୁ, ଫୁଲଚାଷ, ମସଲା ଚାଷ ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ମୋଡ୍ ପଦ୍ଧତି ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଏହା ସହିତ ନିର୍ଦ୍ଦିଷ୍ଟ ଫସଲ ଚାଷ ନିମନ୍ତେ ଆଲୋଚକମାନେ ଫାର୍ମ ପଣ୍ଡ ପ୍ଲସ ଏବଂ ସମନ୍ବିତ କୃଷି ଇତ୍ୟାଦି ଯୋଜନାଗୁଡ଼ିକର ଏକୀକରଣ ଉପରେ ଗୁରୁତ୍ଵ ଦେଇଥିଲେ । ଏମ୍ଜିଏନ୍‌ଆଇଜିଏ ମାଧ୍ୟମରେ ଖେଳାଯାଇଥିବା ଫାର୍ମପଣ୍ଡରେ ବିଭାଗ ଦ୍ଵାରା କୃଷି, ଉଦ୍ୟାନକୃଷି, ପ୍ରାଣୀପାଳନ ଓ ମାଛଚାଷକୁ ଏକତ୍ରୀକରଣ କରାଯିବାର ପ୍ରାରମ୍ଭିକ କାର୍ଯ୍ୟକରିବା ଦିଗରେ ଫାର୍ମପଣ୍ଡ ପ୍ଲସ୍ ଏକ ମଡେଲ ଯୋଜନା ଭାବରେ ଅଭିହିତ କରିଥିଲେ । ବୈଷୟିକ ଉପସ୍ଥାପନା ପରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ଏସଂପର୍କରେ ଅଧିକ ଆଲୋଚନା କରାଯାଇଥିଲା।

ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ଅଣଧାନ ଫସଲ ଚାଷ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିରେ ସମସ୍ତ ପ୍ରକାରର ସମ୍ଭାବ୍ୟ ଅଣଧାନ, ଉଦ୍ୟାନ କୃଷି, ବୃକ୍ଷରୋପଣ କରିବା ସହିତ ଅଣୁ ଜଳସେଚନକୁ ପ୍ରୋତ୍ସାହନ, ସ୍ଵୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ/ କୃଷକ ଉତ୍ପାଦକ କମ୍ପାନି ଏବଂ ପିଜିଏସ୍‌ ମାଧ୍ୟମରେ ପ୍ରାଥମିକ ଏବଂ ଦ୍ବିତୀୟ ପର୍ଯ୍ୟାୟ ପ୍ରକ୍ରିୟାକରଣ ୟୁନିଟ ସ୍ଫାପନ କରିବା, ମିଲେଟସ୍‌ ଶସ୍ୟ ସଂଗ୍ରହ କରିବା ଏବଂ ଅଣଧାନ ଫସଲ ନିମନ୍ତେ ସହାୟକ ମୂଲ୍ୟ ପ୍ରଦାନ କରିବା, ଅଣଧାନ ଶସ୍ୟ ବ୍ୟବହାର ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା, ମିଲେଟ୍‌ ଶକ୍ତି କାଫେ / ଟିଫିନ୍ ସେଣ୍ଟର ପ୍ରତିଷ୍ଠା, ସରକାରୀ ବୈଠକରେ ମିଲେଟ୍ ସ୍ନାକ୍ସର ପରିବେଷଣ, କଫି ମିଶନ ନିମନ୍ତେ ସକ୍ରିୟ ନେତୃତ୍ଵ ପ୍ରଦାନ, ବୃଷ୍ଟିପୁଷ୍ଟ ଅଞ୍ଚଳର ଉନ୍ନୟନ, ଫାର୍ମପଣ୍ଡ ପ୍ଲସ୍‌ର ବିକାଶ ଏବଂ କୃଷିର ଉନ୍ନତି ନିମନ୍ତେ ଏମ୍‌ଜିଏନ୍‌ଆଇଜିଏ ମାଧ୍ୟମରେ ସଂପଦ ନିର୍ମାଣ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।