ଆରମ୍ଭ ହେବ ‘ମୋ କଲେଜ ଅଭିଯାନ‘; କଲେଜର ଉନ୍ନତିରେ ଅଂଶୀଦାର ସାଜିବେ ପୂରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ମୋ କଲେଜ ଅଭିଯାନ‘ । ମୋ ସ୍କୁଲ ଅଭିଯାନ ଭଳି ମୋ କଲେଜ ଅଭିଯାନ ଆରମ୍ଭ ହେବ। କଲେଜର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଆଉ ଲୋକାଭିମୁଖୀ କରିବାକୁ ଏହି ଅଭିଯାନ ଆରମ୍ଭ କରାଯିବ ।  ‘ମୋ କଲେଜ ଅଭିଯାନ‘ ଆରମ୍ଭ ହେଉଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ତେବେ କଲେଜର ଉନ୍ନତି ପାଇଁ କେବଳ ସରକାର ନୁହେଁ ଅଭିଭାବକମାନେ ମଧ୍ୟ ଆଗେଇ ଆସିବା ଦରକାର । ଯେଉଁ ଛାତ୍ରଛାତ୍ରୀମାନେ ଉକ୍ତ କଲେଜରେ ପଢିଛନ୍ତି ସେମାନେ କଲେଜର ଉନ୍ନତିରେ ଅଂଶୀଦାର ସାଜିବେ । ପୂରାତନ ଛାତ୍ରଛାତ୍ରୀମାନଙ୍କୁ କଲେଜର ବିକାଶ ପାଇଁ ‘ମୋ କଲେଜ ଅଭିଯାନ‘ ଜରିଆରେ ଯୋଡା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ସ୍କୁଲର ବିକାଶ ଓ ଉନ୍ନତି ପାଇଁ ପୂର୍ବରୁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ୧୪ ନଭେମ୍ବର ୨୦୧୭ରେ ସରକାର ଏହି ଅଭିଯାନ ଆରମ୍ଭ କରିଥିଲେ । ପୂରାତନ ଛାତ୍ରମାନେ ନିଜ ସ୍କୁଲର ଉନ୍ନତି ପାଇଁ ସାହାଯ୍ୟ କରିବେ ଆଉ ବର୍ତ୍ତମାନର ପିଲାଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାହେବ ସେ ଦିଗରେ ସରକାରଙ୍କୁ ଉକ୍ତ ଅଭିଯାନ ମାଧ୍ୟମରେ ଅବଗତ କରାଇବାକୁ ଯୋଜନା ହୋଇଥିଲା । ଏବେ ମୋ ସ୍କୁଲ ଅଭିଯାନ ପରେ ସରକାର ମୋ କଲେଜ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର