ଭୁବନେଶ୍ବର : ଶୁକ୍ରବାର ଦିନ ଲୋକସେବା ଭବନରେ ରାଜ୍ୟ ସରକାର ଓ‌ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ୍‌ ଚେଞ୍ଜ୍‌ (ଟିବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ଓ ଇନଷ୍ଟିଚ୍ୟୁଟ୍‌ର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ୍‌ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଏହି ଏମ୍‌ଓୟୁ ସହାୟକ ହେବ।

Advertisment

ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ସ୍ଥାପନ କରିଥିବା ଏହି ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି ଯାହା ୪୫ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି। ଏହି ପ୍ରତିଷ୍ଠାନ ବିଭିନ୍ନ ଦେଶର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ‌୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଉନ୍ନତୀକରଣରେ ସହାୟକ ହେଉଛି। ଏହି ଅବସରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ସଚିବ ଦେଓରଂଜନ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ କୁମାର ସିଂହ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଉପସ୍ଥିତ ଥିଲେ।