ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସକାଶେ ଅନୁମୋଦିତ ଅର୍ଥ ଖର୍ଚ୍ଚ ନହୋଇପାରିଲେ ସେ ଅର୍ଥକୁ ଫେରାଇ ଦିଆଯାଏ। ୨୦୨୧-୨୨ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇପାରିନଥିବା ୩୭,୭୦୬କୋଟି ଟଙ୍କାରୁ ପ୍ରାୟ ୧୦୦କୋଟି ଟଙ୍କା ବର୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାର୍ପଣ କରାଯାଇ ନାହିଁ। ପ୍ରତ୍ୟାର୍ପଣର ୯୯% ଅର୍ଥାତ୍ ୩୫,୬୦୦କୋଟି ଟଙ୍କା ବର୍ଷର ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୩୧ରେ ପ୍ରତ୍ୟାର୍ପଣ କରାଯାଇଛି। ଅର୍ଥାତ୍ ବର୍ଷର ଅନ୍ତିମ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଜ ବ୍ୟୟ ଅଟକଳର ବାସ୍ତବ ଚିତ୍ର ସଂକ୍ରାନ୍ତରେ ସଚେତନ ନାହାନ୍ତି। ଅଥଚ ବିତ୍ତୀୟ ଚିତ୍ର ସ୍ପଷ୍ଟ ନଥିଲେ ମଧ୍ୟ ୪ମାସର ତଥ୍ୟକୁ ନେଇ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ର ସୁଆଙ୍ଗ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ସିଏଜି ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ଚେହେରା ଖୋଲିଦେଇଛି। ରାଜ୍ୟ ସରକାରଙ୍କ ବିତ୍ତୀୟ ଶୃଙ୍ଖଳା କେବଳ କାଗଜପତ୍ରରେ ଚାଲିଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଏହାସହ ସେ କହିଛନ୍ତି ଯେ ପ୍ରଣିଧାନ ଯୋଗ୍ୟ ୧୪ଟି ମଞ୍ଜୁର ଯୋଜନାର ୨୯ଟି କାର୍ଯ୍ୟକ୍ରମ ପାଇଁ ହୋଇଥିବା ୭୭୫୭କୋଟି ଟଙ୍କାରୁ ରାଜ୍ୟ ସରକାର ଗୋଟିଏ ମଧ୍ୟ ପଇସା ଖର୍ଚ୍ଚ କରିପାରି ନାହାନ୍ତି। ଏଥିରୁ ବଜେଟ୍, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ରାଜ୍ୟ ସରକାର ଆଙ୍କୁଥିବା ରଙ୍ଗିନ ଚିତ୍ର ଯେ, କେତେ ବିଫଳ ତାହା ସ୍ପଷ୍ଟ ହୋଇଛି। ସେହିପରି ୨୦୧୩-୧୪ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମଞ୍ଜୁରି ହୋଇଥିବା ବ୍ୟୟ ଅଟକଳରୁ ୨୬୩କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଦୀର୍ଘ ୭ବର୍ଷର ଏହି ବେଆଇନ ଖର୍ଚ୍ଚକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ନିୟମିତ କରାଯାଇପାରି ନାହିଁ। ଏହା ଭାରତୀୟ ସମ୍ବିଧାନର ଧାରା ୨୦୫କୁ ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ସିଏଜି ରିପୋର୍ଟରେ କୁହାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଦାନ କରିଥିବା ୨୫ହଜାର ୯୩୧କୋଟି ଟଙ୍କାର ୭୦% ବା ୧୮,୧୦୪କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ତେଣୁ ଏହି ଅର୍ଥ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ସିଏଜି ସନ୍ଦେହ ପ୍ରକଟ କରିଛନ୍ତି।
ବିଭିନ୍ନ ବିଭାଗକୁ ୧୨୯କୋଟି ଟଙ୍କା ଅଗ୍ରୀମ ହିସାବରେ ଦିଆଯାଇଛି। ସେଥିରୁ ମାତ୍ର ୫୮ଲକ୍ଷ ଟଙ୍କାର ହିସାବ ମିଳୁଛି ଅବଶିଷ୍ଟ ୧୨୮କୋଟି ଟଙ୍କାର ହିସାବ ପାଉନାହାନ୍ତି ସିଏଜି। ଆହୁରି ମଧ୍ୟ ବର୍ଷ ବର୍ଷ ଧରି ବିଭିନ୍ନ ବିଭାଗର ପର୍ସନାଲ ଲେଜର ଆକାଉଣ୍ଟରେ ୪,୩୫୭କୋଟି ଟଙ୍କା ପଡ଼ି ରହିବା ଘଟଣାକୁ ସହଜରେ ଗ୍ରହଣ କରିନାହାନ୍ତି ସିଏଜି। ଏହି କାରଣରୁ ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ ଓ ତୋଷାରପାତ ହୋଇଥିବାର ସନ୍ଦେହ କରି ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ ‘ଫ୍ରଡ ବା ଧୋକାବାଜ’ ଭଳି କଟୁ ଶବ୍ଦ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ରାଜ୍ୟ ସରକାରଙ୍କ ୮୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩ବର୍ଷ ଧରି ୩୯ଟିର ଆୟ ବ୍ୟୟ ହିସାବ ମିଳୁନାହିଁ । ଫଳରେ ସରକାରୀ ସଂସ୍ଥାଗୁଡ଼ିକ କମ୍ପାନି ଆକ୍ଟ ୨୦୧୩ର ଖୋଲା ଉଲ୍ଲଂଘନ କରୁଛନ୍ତି। ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।