/* */

ଶ୍ରୀମନ୍ଦିରରେ ରାଜ୍ୟ ସରକାରଙ୍କ ବୈଷୟିକ କମିଟି: ଗର୍ଭଗୃହରେ ଛିଦ୍ର, ନାଟମଣ୍ଡପରେ ଫାଟ

ଜଗମୋହନ ସୁରକ୍ଷିତ, ବଦଳିବ ରୋଷଘର ଚଟାଣ

ଚାଲିଛି ଚୁନ ଧଉଳା ଓ କଳା ଛଡ଼ାଇବା କାମ
ମହାଲକ୍ଷ୍ମୀ ମନ୍ଦିର ମରାମତି ଆରମ୍ଭ, ବଦଳିଲା ବିମ୍‌

ପୁରୀ : ଶ୍ରୀମନ୍ଦିରରେ ଗତକାଲିଠାରୁ ଆବଶ୍ୟକ ମରାମତି କାମ ଆରମ୍ଭ କରିଛି ପ୍ରତ୍ନତତ୍ତ୍ବ ବିଭାଗ। ଗତକାଲି ନାଟମଣ୍ଡପ, ଭୋଗମଣ୍ଡପର ଲେଜର ସ୍କାନିଂ ପରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଷୟିକ କମିଟି ଶ୍ରୀମନ୍ଦିର ଆସି ବିଭିନ୍ନ ସ୍ଥାନ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିର ଗର୍ଭଗୃହ ସହ ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ, ରୋଷଘର ବୁଲି ଦେଖିଛନ୍ତି। ଆବଶ୍ୟକ ମରାମତିର ଯୋଜନା ପ୍ରସ୍ତୁତ କରିଛନ୍ତି। ଯାଞ୍ଚ ବେଳେ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ନାଟମଣ୍ଡପର ବିଭିନ୍ନ ସ୍ଥାନରେ ଫାଟ ଥିବା ଜଣାପଡ଼ିଛି। ଗର୍ଭଗୃହରେ ବି ବିଭିନ୍ନ ସ୍ଥାନରେ ଛିଦ୍ର ‌ଥିବା ଦେଖିବାକୁ ମିଳିଛି। ରୋଷଘର ଚଟାଣରେ ଅନେକ ସ୍ଥାନରେ ଫାଟ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ, ଯନ୍ତ୍ରୀଙ୍କୁ ମରାମତି କାମ ଆଗେଇ ନେବାକୁ ପରାମର୍ଶ ଦିଆଯାଇଛି।

ଶ୍ରୀମନ୍ଦିର ବୈଷୟିକ କମିଟି ଆସିବା ପୂର୍ବରୁ ଗତକାଲି ନାଟମଣ୍ଡପ, ଜଗମୋହନ ସହ ଅନ୍ୟାନ୍ୟ ସ୍ଥାନରେ ଲୁହାର ଭାରା ବନ୍ଧା ଯାଇଥିଲା। ଶ୍ରୀମନ୍ଦିର ବୈଷୟିକ କମିଟି ମୁଖ୍ୟ ଏନ ସି ପାଲଙ୍କ ନେତୃତ୍ବରେ ଗୌରାଙ୍ଗ ଚରଣ ସାହୁ, ହେମନ୍ତ ଦତ୍ତ, ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ବିନ୍ଧେଶ୍ବର ପାତ୍ର ପ୍ରମୁଖ ଆଜି ପୂର୍ବାହ୍ଣରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଏହି ଲୁହା ଭାରାରେ ଚଢ଼ି ଯାଞ୍ଚ କାମ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ସନ୍ଧ୍ରା ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। ପ୍ରଥମେ ଗର୍ଭଗୃହ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ପୂର୍ବପାର୍ଶ୍ବର ଉପରିଭାଗରେ ବାମ ଓ ଡାହାଣ ପାର୍ଶ୍ବରେ ଅନେକ ସ୍ଥାନରେ ଛିଦ୍ର ଥିବା ଜଣାପଡ଼ିଥିଲା। ଏଠାରେ ଚୁନ ଲଗାଇ ଛିଦ୍ର ମାରିବାକୁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପ ଯାଞ୍ଚ ବେଳେ ଉପରି ଭାଗରେ ବିଭିନ୍ନ କୋଣରେ ଛୋଟ ଛୋଟ ଫାଟ ରହିଥିବା ଦେଖିବାକୁ ମିଳିଛି। ଏହାକୁ ବି ତୁରନ୍ତ ମରାମତି ପାଇଁ ନି‌ଷ୍ପତ୍ତି ହୋଇଛି। ଜଗମୋହନ ଯାଞ୍ଚ ବେଳେ ଏହା ଅକ୍ଷତ ରହିଥିବା ଦେଖିବାକୁ ମିଳିଛି। ଭୋଗମଣ୍ଡପ ଯାଞ୍ଚ ବେଳେ ବିଭିନ୍ନ ସ୍ଥାନରେ ପଥରେ ଫାଟ ରହିଥିବାରୁ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ରୋଷଘରର ଅଧିକାଂଶ ଜାଗାରେ ଚଟାଣ ପଥର ସବୁ ଫାଟି ଯାଇଥିବା ଦେଖିବାକୁ ମିଳିଛି। ପଥର ନଷ୍ଟ ହୋଇଥିବାରୁ ଚାଲି ଚାଲି ଯିବା ସମୟରେ ଅବଢ଼ା ବି ଚିକିଟା ହୋଇ ପାଦରେ ଲାଗୁଛି। ଏଣୁ ରୋଷଘରର ଚଟାଣରୁ ଅଧିକାଂଶ ପଥର ବଦଳାଇବାକୁ ନିଷ୍ପତ୍ତି ହୋଇଛି। ସେପଟେ ମହାଲକ୍ଷ୍ମୀଙ୍କ ମନ୍ଦିର ମୁଖ୍ୟ ଦ୍ବାରରେ ଫାଟ ସୃଷ୍ଟି ହୋଇଥିଲା। ଅନ୍ୟାନ୍ୟ ସ୍ଥାନରେ ବି ଫାଟ ରହିଥିଲା। ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମହାଲକ୍ଷ୍ମୀ ମନ୍ଦିରର ଏକ ବିମ୍‌ ବଦଳାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଦୀପ ଜଳି ଅନେକ ସ୍ଥାନରେ କଳା ଦାଗ ଲାଗି ରହିଥିବାରୁ ଏହାକୁ ଛଡ଼ାଯିବା କାମ ଜାରି ରହିଛି। ବିଭିନ୍ନ ସ୍ଥାନରେ ଚୁନ ଧଉଳା କାମ ବି ଜାରି ରହିଛି।

ସମ୍ବନ୍ଧିତ ଖବର