ରାଜ୍ୟର ଋଣଭାର ୮୦ ହଜାର କୋଟି

ଭୁବନେଶ୍ବର: ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ରହିଛି ୭୯,୮୬୬.୦୮ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୩,୫୮୪ କୋଟି ଟଙ୍କା ଋଣ କରିବାକୁ ଓ ୪,୭୦୭ କୋଟି ଟଙ୍କା ସୁଝିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଚଳିତ ବର୍ଷର ନିଟ୍‌ ହିସାବରେ ୧୮,୮୭୭ କୋଟି ଟଙ୍କା ଋଣ କରାଯିବାର ଆକଳନ କରାଯାଇଛି। ବିଧାନସଭାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜ‌ାରୀ ଆଜି ଏହି ପ୍ରଶ୍ନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ଶଙ୍କର ଓରାମଙ୍କ ପୃଥକ ପୃଥକ ପ୍ରଶ୍ନରେ ମନ୍ତ୍ରୀ ଋଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ନିଜସ୍ବ ଘରୋଇ ଉତ୍ପାଦର କେନ୍ଦ୍ର ସରକାରଙ୍କ ସ୍ଥିରୀକୃତ ୩.୫% ମଧ୍ୟରେ ଋଣ କରୁଛନ୍ତି। ଭାରତ ସରକାରଙ୍କ ଠାରୁ ୭୮୩୬.୫୪ କୋଟି, ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୯୧୭୨.୯୯ କୋଟି, ଖୋଲା ବଜାରରୁ ୨୮୦୩୦.୯୦ କୋଟି, ଭାରତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ୧୩,୦୯୨.୨୯ କୋଟି, ଜୀବନ ବୀମା ନିଗମରୁ ୦.୪୭ କୋଟି, ସାଧାରଣ ବୀମା ନିଗମରୁ ୬.୩୬ କୋଟି, ଜାତୀୟ ସମବାୟ ଉନ୍ନୟନ ନିଗମରୁ ୭.୩୦ କୋଟି, ଗ୍ରାମ୍ୟ ବିଦ୍ୟୁତିକରଣ ନିଗମ ଓ ଅନ୍ୟାନ୍ୟ ଉତ୍ସରୁ ୧୧୦.୭୧ କୋଟି ଏବଂ ଭବିଷ୍ୟନିଧି ପାଣ୍ଠିରୁ ୨୧,୬୦୮.୫୨ କୋଟି ଟଙ୍କା ଋଣ କରାଯାଇଛି।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷ ଶେଷରେ ରାଜ୍ୟର ମୁଣ୍ଡପିଛା ଋଣ ଭାର ୧୭,୬୩୦.୪୮ ‌ଟଙ୍କା ଅଟେ। ଆମ ରାଜ୍ୟର ମୁଣ୍ଡପିଛା ଋଣ ଜାତୀୟ ତଥା ଅଧିକାଂଶ ରାଜ୍ୟର ମୁଣ୍ଡପିଛା ଋଣ ତୁଳନାରେ ଯଥେଷ୍ଟ କମ୍।

ସମ୍ବନ୍ଧିତ ଖବର