ମହିଳାଙ୍କ ସୁରକ୍ଷା ନେଇ ‘ଜିରୋ ଟଲେରାନ୍ସ’ ଗ୍ରହଣ କରନ୍ତୁ ରାଜ୍ୟ ସରକାର

ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ସ୍ମିତାରାଣୀ ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ବହିଷ୍କାର କରିବା ଆଦି ୩ଦଫା ଦାବି ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ,ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ଆଜି ୨୦ଦିନ ବିତିଲାଣି। ହେଲେ ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁନି। ପୁଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରିଥିଲେ ହେଁ ସେଠାରେ ଉପସ୍ଥିତ ଥିବା ୨ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମ୍‌କୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ। ସ୍ମିତାରାଣୀ ହତ୍ୟାକାଣ୍ଡକୁ ଶାସକ ଦଳ ଚାପରେ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି। ରାଜ୍ୟ ସରକାର ମହିଳା ସଶକ୍ତୀକରଣ, ମୋ ସରକାର, ମୋ ପୁଲିସ, ମୋ ପରିବାର ଏବଂ ୫-ଟି କଥା କହୁଥିବା‌େବଳେ ଏକ ସରକାରୀ କର୍ମଚାରୀ ଓ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ମିଳୁନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ବି‌େଜଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ୍ ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।

ରାଜ୍ୟରେ ମହିଳା ସମାଜ ସଂପୂର୍ଣ୍ଣଭାବେ ଅସୁରକ୍ଷିତ ହୋଇପଡ଼ିଛି। ରାଜ୍ୟ‌େର ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ତୁରନ୍ତ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ବୋଲି ମହିଳା ମୋର୍ଚ୍ଚା ଦାବି କରିଛି। କେନ୍ଦ୍ରାପଡ଼ାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ଭୁବନେଶ୍ବରରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, କଟକରେ ସ୍ମୃତି ପଟ୍ଟନାୟକ, ବାଲେଶ୍ବରରେ ଶୋଭନା ମହାନ୍ତି, ନୟାଗଡ଼ରେ ସୁରମା ପାଢ଼ୀ, ବ୍ରହ୍ମପୁରରେ ଅନିତା ଶୁଭଦର୍ଶିନୀ, ଅନୁଗୁଳରେ ସଂଘମିତ୍ରା ପ୍ରଧାନ, ବଲାଙ୍ଗୀରରେ ସଂଗୀତା ସିଂହଦେଓ, ଖୋର୍ଦ୍ଧାରେ ରଶ୍ମୀମୟୀ ପଟ୍ଟନାୟକ ଓ ରାଜଲକ୍ଷ୍ମୀ ଉପାଧ୍ୟାୟ, ପୁରୀରେ ଜ୍ୟୋତି ମହାପାତ୍ର, ଯାଜପୁରରେ ବବିତା ମଲ୍ଲିକ, ଭଦ୍ରକରେ ମନସ୍ମିତା ଖୁଣ୍ଟିଆ ପ୍ରମୁଖଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ସମ୍ବନ୍ଧିତ ଖବର