କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଆରମ୍ଭ

ବୀମା ରାଶି ୧୫୦୦ କୋଟି ଟପିବ!, ୧୫ ଦିନରେ ସମସ୍ତ ଅଡ଼ୁଆ ତୁଟାଇ ବୀମା ଦେୟ ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର : ୨୦୧୭ ଖରିଫ ଋତୁ ସକାଶେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ଦିଆଯାଇଛି ପ୍ରାୟ ୧୮.୮୫ କୋଟି। ଏଥର ମରୁଡ଼ି, ବିଭିନ୍ନ ରୋଗପୋକ ଏବଂ ଅଦିନିଆ ବର୍ଷା ମାଡ଼ରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଫସଲ ବୀମା ପ୍ରଦାନ ରାଶି ୧୫୦୦ କୋଟି ଟପିବ ବୋଲି ବର୍ତମାନ ସୁଦ୍ଧା ହୋଇଥିବା ଆକଳନରୁ ଜଣାଯାଇଛି। ତେବେ ଫସଲକଟା ନେଇ ବିଭିନ୍ନ କ୍ଷେତ୍ରରେ ତଥ୍ୟଗତ ଅମେଳ ଥିବାରୁ ଉଭୟ ସରକାରୀ ଓ ବୀମା କମ୍ପାନିମାନଙ୍କ ସ୍ତରରେ ତା’ର ବିଶ୍ଲେଷଣ ଚାଲିଛି। ଏ ସମସ୍ତ ଅଡ଼ୁଆ ତୁଟାଇ ଆସନ୍ତା ୧୫ ଦିନରେ ସମସ୍ତ ବୀମା ରାଶି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଗତ ୮ ତାରିଖରୁ ୫ଟି ଜିଲ୍ଲାରେ ବୀମା କମ୍ପାନିମାନେ ବୀମା କ୍ଷତିପୂରଣ ରାଶି ପ୍ରଦାନ ଆରମ୍ଭ କରିଛନ୍ତି। ଆଜି ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ପ୍ରାୟ ୧୪ ଶହ ଚାଷୀଙ୍କୁ ୧.୩୫ କୋଟି, ବରଗଡ଼ ଜିଲ୍ଲାର ୧୨ ଶହ ଚାଷୀଙ୍କୁ ୨.୫୦ କୋଟି, ନୟାଗଡ଼ ଜିଲ୍ଲାର ୬ ହଜାର ଚାଷୀଙ୍କୁ ୧ କୋଟି, ଜଗତ୍‌ସିଂହପୁର ଜିଲ୍ଲାର ପ୍ରାୟ ୧୩ ହଜାର ଚାଷୀଙ୍କୁ ୯ କୋଟି ଓ କଟକ ଜିଲ୍ଲାରେ ପ୍ରାୟ ୫ କୋଟି ଟଙ୍କାର ବୀମା ରାଶି ଦିଆଯାଇଛି। କ୍ଷତିପୂରଣ ଆକଳନ ନେଇ ଆବଶ୍ୟକ ତଥ୍ୟାବଳୀ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟର ବୀମା ରାଶି ପ୍ରଦାନରେ ବିଳମ୍ବ ଉପୁଜୁଛି। ବୀମା କମ୍ପାନିମାନଙ୍କ କହିବାନୁସାରେ ପଶ୍ଚିମ ଓଡ଼ିଶାରେ ତଥ୍ୟଗତ ତ୍ରୁଟି ଦେଖାଦେଇଥିବାରୁ ସେହି ଅଞ୍ଚଳରେ ସବୁଠାରୁ ଅଧିକ ଅଡ଼ୁଆ ରହିଛି। କେନ୍ଦୁଝର, କୋରାପୁଟ, ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ ଯେଉଁଠି ମରୁଡ଼ି, ଚକଡ଼ା କିମ୍ବା ଅଦିନିଆ ବର୍ଷା ମାଡ଼ରେ ଫସଲ କ୍ଷତିଗ୍ରସ୍ତ ପରିମାଣ ସାମାନ୍ୟ ହୋଇଛି ବା ଆଦୌ ହୋଇନାହିଁ, ସେସବୁ ଜିଲ୍ଲାରେ କୌଣସି ଅଡ଼ୁଆ ନାହିଁ। ସେ ଯାହାହେଉ, ଆସନ୍ତା ଗୁରୁବାର ସୁଦ୍ଧା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ତା’ର ୧୫ ଦିନ ଭିତରେ ବୀମା ରାଶି ପ୍ରଦାନ କାର୍ଯ୍ୟକ୍ରମ ଶେଷ ହେବ ବୋଲି କୃଷି, ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଖରିଫ ଧାନ ଚାଷ ନିମନ୍ତେ ପ୍ରାୟ ୧.୩୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୮.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ ବୀମା ପ୍ରିମିୟମ୍‌ ବାବଦରେ ୧୪୪.୨୪ କୋଟି ଜମା କରିଛନ୍ତି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତ) ମିଶାଇ ମୋଟ ଜମା ରାଶି ହେଉଛି ୮୩୯.୬୮ କୋଟି। ୨୦୧୭-୧୮ ଖରିଫ ଋତୁରେ ଧାନ ଫସଲକଟା ରିପୋର୍ଟ ୪ଟି ବୀମା କମ୍ପାନି ଟାଟା ଏଆଇଜି, ଏଆଇସି ଅଫ୍‌ ଇଣ୍ଡିଆ, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଚୋଲ ଏମ୍‌ଏସ୍‌ଙ୍କୁ ଦିଆଯାଇଛି।

ଗତ ଖରିଫ ଋତୁରେ ମରୁଡ଼ି ଯୋଗୁଁ ୩ ଲକ୍ଷ ୨୧ ହଜାର ୪୨୧.୨୪ ହେକ୍ଟର ଜମି, ଚକଡ଼ା ପୋକରେ ୧ ଲକ୍ଷ ୩୮ ହଜାର ୧୬୮.୪୯ ହେକ୍ଟର ଜମି, ଅଦିନିଆ ବର୍ଷାରେ ୪ ଲକ୍ଷ ୪ ହଜାର ୫୧୩.୫୦୧ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ କୃଷି, ରାଜସ୍ୱ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ କର୍ମଚାରୀ ଏବଂ ବୀମା କମ୍ପାନିଙ୍କ ପ୍ରତିନିଧିମାନେ ମିଳିତ ଭାବେ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରିଛନ୍ତି। ବୀମାଭୁକ୍ତ ଚାଷୀମାନଙ୍କୁ ଅନ୍ୟୂନ ୧୫୦୦ କୋଟିର ବୀମା କ୍ଷତିପୂରଣ ମିଳିବ ବୋଲି ଆକଳନ କରାଯାଉଛି। ୨୦୧୬ ଖରିଫ ଚାଷ ବେଳେ କୌଣସି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହୋଇନଥିଲା। ସେତେବେଳେ ମାତ୍ର ୧ ଲକ୍ଷ ୬୫ହଜାର ୭୯୮ଜଣ ଚାଷୀଙ୍କୁ ୪୨୪ କୋଟି ୨୧ ଲକ୍ଷ ୭୩ ହଜାର ଟଙ୍କାର କ୍ଷତିପୂରଣ ମିଳିଥିଲା।

ସମ୍ବନ୍ଧିତ ଖବର