ସରକାରଙ୍କୁ ପରାମର୍ଶ ଦେ‌‌ବେ ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ, ଦାରିଦ୍ର୍ୟ ହଟାଇବା ପାଇଁ ଗବେଷଣା ହେବ

ଜେ-ପଲ୍‌ ସହ ରାଜ୍ୟ ସରକାରଙ୍କ ବୁଝାମଣା

ଭୁବନେଶ୍ବର: ପ୍ରାଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ୫-ଟି ଯୋଜନା କାର୍ଯ୍ୟକାରୀ କରିବା ପରେ ଏବେ ଓଡ଼ିଶା କିପରି ଗରିବ ରାଜ୍ୟ ତାଲିକାରୁ ବାଦ୍‌ ପଡ଼ିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ପ୍ରତ୍ୟେକ କାର୍ଯ୍ୟକ୍ରମର ସୁଫଳ ଯେପରି ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ପୂରା ତଳସ୍ତରରୁ କାରଣ ଖୋଜି ଏହାର ନିରାକରଣ କରିବେ। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ପାଇଁ ପରାମର୍ଶ ଦେବେ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ଏବଂ ଏସଥର୍ ଡଫଲୋ। ଅଭିଜିତ ଓ ଏସଥର୍ ଦାରିଦ୍ର୍ୟ ଦୂରୀକରଣ ପାଇଁ ତୃଣମୂଳସ୍ତରରେ ବହୁ ଗବେଷଣା କରିବା ସହ ସାରା ବିଶ୍ବରେ ପ୍ରଶଂସିତ ହୋଇଛନ୍ତି। ଦୁଇ ନୋବେଲ ପୁରସ୍କାର ବିଜେତାଙ୍କ ଅଭିଜ୍ଞତାକୁ ଆଧାର କରି ଓଡ଼ିଶାର ସରକାର ଜେ-ପଲ୍‌ (ଅବଦୁଲ୍‌ ଲତିଫ୍ ଜମିଲ୍‌ ପଭର୍ଟି ଆକ୍ସନ ଲ୍ୟାବ୍) ମାଧ୍ୟମରେ ଓଡ଼ିଶାରୁ ଦାରିଦ୍ର୍ୟ ହଟାଇବେ ବୋଲି ଆଶା ରଖିଛନ୍ତି।

ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ଜେ-ପଲ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ‌ହୋଇଛି। ଏହି ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଧାରଣରେ ଗବେଷଣାଭିତ୍ତିକ ସହଯୋଗ ଯୋଗାଇ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ଏହାସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ, ସେ ଦିଗରେ ଉଭୟ କାର୍ଯ୍ୟ କରିବେ। ଏହି ବୁଝାମଣାପତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାକ୍ଷର କରିଥିବା ବେଳେ ଜେ-ପଲ୍‌ ଦକ୍ଷିଣ ଏସିଆ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ସ୍ବାକ୍ଷର କରିଥିଲେ। ଏହି ସହଯୋଗ କାର୍ଯ୍ୟକ୍ରମରେ ଜେ-ପଲ୍‌ ରାଜ୍ୟର ବିଭିନ୍ନ ବିଭାଗ ବିଶେଷତଃ ଶ୍ରମ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତା’ର ମୂଲ୍ୟାଙ୍କନ କରିବ। ଏହାସହ ଏହି ସବୁ କାର୍ଯ୍ୟର ମୂଲ୍ୟାୟନ ଏବଂ ସୁପରିଚାଳନା ପାଇଁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ମଧ୍ୟ କରିବ।

ଏହାସହ ରାଜ୍ୟ ସରକାର ଓ ଜେ-ପଲ୍‌ ନିୟମିତ ଭାବେ ବିଭିନ୍ନ ନୀତି ଉପରେ ବାର୍ଷିକ ଆଲୋଚନା କରି ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଚୟନ କରିବା ସହିତ ଆଲୋଚନା ଜରିଆରେ ତଥ୍ୟ ଆଦାନପ୍ରଦାନ କରିବା ଏବଂ ମିଳିତ ଭାବେ ଅଭିନବ ଉପାୟ ଅବଲମ୍ବନ କରିବା ସହ ବାସ୍ତବ କ୍ଷେତ୍ରରେ ଏହାର ପ୍ରୟୋଗ କରି କାର୍ଯ୍ୟକ୍ରମଗୁଡ଼ିକର ମୂଲ୍ୟାଙ୍କନ କରିବେ। ପୁଷ୍ଟିହୀନତା, ମହିଳା ସଶକ୍ତୀକରଣ, ଦାଦନ ଶ୍ରମିକ ସମସ୍ୟା, ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଏବଂ କୃଷି ଉତ୍ପାଦକତା ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ନୀତି ସମ୍ପର୍କରେ ନିୟମିତ ଆଲୋଚନା କରାଯାଇ ସାଧାରଣ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥି‌ଲେ ଯେ ଏହି ସହଯୋଗ କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶାବାସୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ ସହିତ ଓଡ଼ିଶାରେ ଆଣିବାକୁ ଥିବା ପରିବର୍ତ୍ତନର ଲକ୍ଷ୍ୟ ପୂରଣ ଦିଗରେ ଟିମ୍‌ ଓଡ଼ିଶାର ଉଦ୍ୟମ ସଫଳ ହୋଇପାରିବ।

ଜେ-ପଲ୍‌ ଦକ୍ଷିଣ ଏସିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ କହିଥି‌ଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସୁପରିଚାଳନା, ଦକ୍ଷତା ବୃଦ୍ଧି ସହ ଜନସାଧାରଣଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ଗୁରୁତ୍ବ ଦିଆଯିବ। ବାସ୍ତବ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ଦକ୍ଷତା ବୃଦ୍ଧି କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ, ମୋ’ ସ୍କୁଲ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିସନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର