ଭୁବନେଶ୍ବର : ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ପରିଚାଳିତ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ମେଡିକାଲ ସାଇକ୍ଲେଟ୍ରୋନ୍ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପିଇଟି ସ୍କାନ୍ ଓ ଅତ୍ୟନ୍ତ ଜରୁରୀ ଅସୁସ୍ଥତା ପାଇଁ ରେଡିଓଆକ୍ଟିଭ୍ ଆଇସୋଟୋପ୍ ଜରୁରୀ ଥିବା ବେଳେ ଏହାର ଉତ୍ପାଦନ ପାଇଁ ମେଡିକାଲ ସାଇକ୍ଲୋଟ୍ରେନ୍ର ଆବଶ୍ୟକତା ପଡ଼ିଥାଏ। ତେଣୁ ପ୍ରସ୍ତାବିତ ମେଡିକାଲ ସାଇକ୍ଲୋଟ୍ରୋନ୍ ପ୍ରତିଷ୍ଠା ହେଲେ ଏହା ଦକ୍ଷିଣ-ପୂର୍ବ ଏସିଆରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି କୁହାଯାଉଛି।
ଓଡ଼ିଶା ଏବେ ଆଇସୋଟୋପ୍ ପାଇଁ ହାଇଦ୍ରାବାଦ୍, ମୁମ୍ବାଇ ଓ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏସବୁ ଆଇସୋଟୋପ୍ କିଛି ଘଣ୍ଟା ପାଇଁ ପ୍ରଭାବଶାଳୀ ଥିବା ବେଳେ ଗମନାଗମନ ଦୃଷ୍ଟିକୋଣରୁ କିଛି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପହଞ୍ଚିପାରୁଛି। ତେଣୁ ଟାଟା ମେମୋରିଆଲ କ୍ୟାନସରରେ ହେବାକୁ ଥିବା ଏହି ମେଡିକାଲ ସାଇକ୍ଲେଟ୍ରୋନ୍ ମୁମ୍ବାଇସ୍ଥିତ ଭାବା ଆଟୋମିକ ଗବେଷଣା କେନ୍ଦ୍ର, କୋଲକାତାସ୍ଥିତ ଭାରିଏବଲ ଏନର୍ଜି ସାଇକ୍ଲୋଟ୍ରୋନ୍ ସେଣ୍ଟର, ରେଡିଏସନ୍ ଓ ଆଇସୋଟୋପ୍ ଟେକ୍ନୋଲୋଜି ବୋର୍ଡ, ଆଣବିକ ଶକ୍ତି ବିଭାଗ ଓ ଆଣବିକ ଶକ୍ତି ନିୟନ୍ତ୍ରଣ ବୋର୍ଡର ସମନ୍ବୟରେ ପରିଚାଳିତ ହେବ। ଅନ୍ତର୍ଜାତୀୟମାନର ସୁବିଧା କେନ୍ଦ୍ରରେ ସାଧାରଣଭାବେ ମେଡିକାଲରେ ବ୍ୟବହୃତ ରେଡିଓ ଆଇସୋଟେପ୍ର ଉତ୍ପାଦନ, ନ୍ୟୁକ୍ଲିୟର ମେଡିସିନର ଗବେଷଣା ଓ ବିକାଶ, ପିଜି ଓ ସ୍ନାତକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶର ସୁବିଧା ରହିଥାଏ। ତେଣୁ ଓଡ଼ିଶା ଆଗାମୀ ଦିନରେ ଗବେଷଣା ଓ ମେଡିକାଲ ସାଇକ୍ଲେଟ୍ରୋନ୍ ଆପ୍ଲିକେସନ୍ର ଏକ ହବ୍ ପାଲଟିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖ ଯେ ଜଟଣୀଠାରେ ପ୍ରତିଷ୍ଠା ହେବାକୁ ଯାଉଛି ୨ଶହ ଶଯ୍ୟା ବିଶିଷ୍ଟ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ। ଏଥିପାଇଁ ୬୫୦ କୋଟି ଟଙ୍କା ଖର୍ଚ ହେବ। ନିକଟରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ସେଣ୍ଟର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ୪ଶହ କୋଟି ଓ ଟାଟା ଟ୍ରଷ୍ଟ ପକ୍ଷରୁ ୨୫୦ କୋଟି ଟଙ୍କା ଯୋଗାଇ ଦେବ। ପ୍ରାଥମିକ ପର୍ଯ୍ୟାୟରେ ନାଇଜର ଏଥିପାଇଁ ୧୭ ଏକର ଜାଗା ଯୋଗାଇଦେବ। ଏହାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ୪୦ ଏକର ଜାଗା ଯୋଗାଇଦେବେ। ଚୁକ୍ତି ସ୍ବାକ୍ଷର ସମୟରେ ରାଜ୍ୟ ସରକାର ମେଡିକାଲ ସାଇକ୍ଲୋଟ୍ରୋନ୍ ଯୋଗାଇଦେବା ଲାଗି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/naveen-patnaik-ff.png)