ଠିକାଦାରଙ୍କୁ ସରକାରଙ୍କ ଚେତାବନୀ : ଜାଲ୍‌ କମ୍ପାନି ସହ କାମ କଲେ କଳାତାଲିକାଭୁକ୍ତ

ଭୁବନେଶ୍ୱର : ଏଣିକି ଜାଲ୍‌ ବା ବେନାମି କମ୍ପାନି ସହ ମିଶି କାମ କଲେ ସଂପୃକ୍ତ ଠିକାଦାର ବା ଠିକା ସଂସ୍ଥାଙ୍କୁ କଳାତାଲିକାଭୁକ୍ତ କରାଯିବ। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଣେ ଠିକାଦାର ସଂସ୍ଥା ପଛରେ ଜଣେ ଜାଲ୍‌ କମ୍ପାନିର ସଂପୃକ୍ତି ଥିଲେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ସରକାରୀ ଠିକା କାର୍ଯ୍ୟରେ କଳାଧନ ଯେପରି ବିନିଯୋଗ ନ ହୁଏ ସେଥିପ୍ରତି କଡ଼ା ନଜର ରହିବ। ଏକ ଅଫିସ ମେମୋରାଣ୍ଡମ ଜରିଆରେ ଠିକାଦାରମାନଙ୍କ ପାଇଁ ଏଭଳି ଚେତାବନୀ ଦେଇଛି ପୂର୍ତ୍ତ ବିଭାଗ।

ପୂର୍ତ୍ତ ବିଭାଗ ଅଫିସ ମେମୋରାଣ୍ଡମ ନମ୍ବର ୧୦୪୯୬/୧୨.୭.୨୦୧୮ ଜରିଆରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଘୋଷଣା କରିଛି। ହଠାତ୍‌ ଏଭଳି ନିଷ୍ପତ୍ତି ନେବା ପଛରେ ଗୃହ ବିଭାଗର ସୁପାରିସ ରହିଥିବା ସୂଚନା ମିଳିଛି। ତେବେ ଗୃହ ବିଭାଗର ସୁପାରିସ ପଛରେ କ୍ରାଇମ ବ୍ରାଞ୍ଚରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହିଁ କାରଣ ହୋଇପାରେ। ଏହି ସୂତ୍ରର ସୂଚନା ମୁତାବକ ଗ୍ୟାଙ୍ଗଷ୍ଟର ସୟଦ୍‌ ଉସ୍‌ମାନ ଅଲ୍ଲୀ ଓରଫ୍‌ ଟିଟୋର ପ୍ରଚ୍ଛନ୍ନ ହାତ ସରକାରଙ୍କୁ ବାଧ୍ୟ କରିଛି ଏଭଳି କଡ଼ା ନିଷ୍ପତ୍ତି ନେବା ପାଇଁ। ବର୍ତମାନ ସ୍ୱତନ୍ତ୍ର ଟାସ୍କଫୋର୍ସ(ଏସ୍‌ଟିଏଫ୍‌) ଟିଟୋର କଳା ସାମ୍ରାଜ୍ୟ ସଂପର୍କରେ ଛାନ୍‌ଭିନ୍‌ କରୁଛି। କେବଳ ଅପରାଧ ଜଗତ ନୁହେଁ, କଳାଟଙ୍କା ବିନିଯୋଗ କରି ବିଭିନ୍ନ କ୍ଷେତ୍ରରୁ ବିପୁଳ ଆୟର ଉତ୍ସ ଖୋଲି ଦେଇଛି ଟିଟୋ। ସେଥିମଧ୍ୟରୁ ଠିକାଦାରୀ କ୍ଷେତ୍ରକୁ ସେ ବାଛି ନେଇ ଲଗାଇଛି ବିପୁଳ ଅର୍ଥ।

ମିଳିଥିବା ତଥ୍ୟ ବୟାନ କରୁଛି ଯେ ଟିଟୋ କିଛି ଠିକାଦାରଙ୍କୁ ସିଧାସଳଖ ଭାବେ ତା’ର ପାର୍ଟନର କରିଛି। ସେହି ଠିକାଦାର ବା ଠିକା ସଂସ୍ଥାମାନଙ୍କୁ ମୋହରା ପ୍ରତ୍ୟକ୍ଷ ବା ପରୋକ୍ଷରେ ଟିଟୋ କରିଛି। ବାହାରକୁ ସବୁ କାମ ଠିକାଦାରଙ୍କ ନାମରେ ଚାଲିବ। କିନ୍ତୁ ଟିଟୋର କଳାଧନରେ କାମ ହେବ। ଏହାର ଗୁମର ଧୀରେ ଧୀରେ ଖୋଲିବାକୁ ଲାଗିଛି। ଟିଟୋକୁ ରିମାଣ୍ଡରେ ନେଇ ଏସ୍‌ଟିଏଫ୍‌ ଏଭଳି କଳା କାର୍ଯ୍ୟକଳାପର ରହସ୍ୟ କେତେକାଂଶରେ ଉନ୍ମୋଚନ କରିଛି। ଏ କଥା ନଜରକୁ ଆସିବା ପରେ ପୂର୍ତ ବିଭାଗକୁ ନିୟମାବଳୀରେ ଆବଶ୍ୟକୀୟ ପରିବର୍ତନ ପାଇଁ ସୁପାରିସ କରିଛି ଗୃହ ବିଭାଗ।

ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ଗତ ୧୨ ତାରିଖରେ ପୂର୍ତ୍ତ ବିଭାଗ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ଅଫିସ ମେମୋରାଣ୍ଡମ ପ୍ରକାଶ କରିଛନ୍ତିି। ଏହି ମେମୋରାଣ୍ଡମରେ ଓପିଡବ୍ଲ୍ୟୁଡି କୋଡ୍‌, ଭଲ୍ୟୁମ-୨ ରୁଲ୍‌-ଏ ଅନ୍ତର୍ଗତ ସବ୍‌ରୁଲ୍‌(ଜି) ଅଧୀନ ସବ୍‌ରୁଲ୍‌(ଏଫ୍‌) ଭଳି ନୂଆ ବ୍ୟବସ୍ଥା ଯୋଡ଼ି ହୋଇଛି। ଚିଟ୍‌ ଫଣ୍ଡ କମ୍ପାନି ବା ଯେ କୌଣସି ବେନାମି କମ୍ପାନି ସହିତ ଯେ କୌଣସି ପ୍ରକାରେ ଏବଂ ଯେ କୌଣସି ପର୍ଯ୍ୟାୟରେ ଯଦି କେହି ଠିକାଦାର ବା ଠିକା ସଂସ୍ଥା କାମ କରି ଧରାପଡ଼ିବେ, ସେ କଳାତାଲିକାଭୁକ୍ତ ହେବେ। ଏଭଳି ନୋଟିସ୍‌କୁ ମଞ୍ଜୁରି ଦେଇଛି ଅର୍ଥ ଓ ଆଇନ ବିଭାଗ। ମେମୋରାଣ୍ଡମ ପ୍ରକାଶ ପାଇବା ଦିନଠାରୁ (୧୨ ତାରିଖରୁ) ଏହା କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର