କୋଲାବରେ ରାଜ୍ୟ ସରକାର ବ୍ୟାରେଜ୍ କରିବେ

ଭୁବନେଶ୍ବର : ଗୋଦାବରୀ ନଦୀର ଉପର ମୁଣ୍ଡରେ ଏହାର ଉପନଦୀ କୋଲାବ(ସାବେରୀ)ରେ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟାରେଜ୍ ନିର୍ମାଣ ହେବ। ଏ ନେଇ ଏକ ପ୍ରସ୍ତାବ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ସୂଚନା ‌େଦଇଛନ୍ତି। ପୋଲାଭରମ୍ ପ୍ରକଳ୍ପ ଓ ଉପର ମୁଣ୍ଡରେ ଓଡ଼ିଶା ସରକାରଙ୍କ ବ୍ୟାରେଜ୍ ନିର୍ମାଣ ସଂକ୍ରାନ୍ତରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବହୁତ କ୍ଷତି ହେବ। ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ସିଲେରୁ ଓ ସାବେରୀ ନଦୀର ଉଭୟ ପାର୍ଶ୍ବରେ ନଦୀ ବନ୍ଧ ଗଠନ ବ୍ୟବସ୍ଥାକୁ ବିଚାର ନ କରି ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଦ୍ବାରା ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ୍‌ରେ ୧୫ଟି ରାଜସ୍ବ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହା ସହ ୬୮୧୮ ଜଣ ବିସ୍ଥାପିତ ହେବେ। ଏହା ମଧ୍ୟରେ ୫୯୧୬ ଜଣ ଆଦିବାସୀ ଅଛନ୍ତି। ଏହା ବାଦ୍ ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ। ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ପ୍ରକଳ୍ପ ବନ୍ଦ ପାଇଁ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମାମଲାଟି ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି।

ସମ୍ବନ୍ଧିତ ଖବର