ବିଜୁଳି ବ୍ୟବହାର ମାତ୍ର ୧.୮୨%, ଜାତୀୟ ହାରଠୁ ଢେର୍ କମ୍
ଏମ୍ଏସ୍ଏମ୍ଇ ସ୍ଥିତି କେମିତି; ଚିତ୍ର ବଖାଣୁଛି କଳିଙ୍ଗନଗର ଓ କେନ୍ଦ୍ରାପଡ଼ା ଜିଲ୍ଲା
ବେକାରୀ ସ୍ଥିତି ସଙ୍ଗିନ୍, ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍’ ନୀତି ଠିକ୍ ନାହିଁ
ଭୁବନେଶ୍ୱର : ନିକଟରେ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ ଓଡ଼ିଶାରେ ବେକାରୀ ସମସ୍ୟାର ଚିତ୍ର ଉଦ୍ବେଗଜନକ। କରୋନାଜନିତ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଏହି ସ୍ଥିତି ଆହୁରି ଗମ୍ଭୀର ଅବସ୍ଥାରେ ପହଞ୍ଚିଛି।
ଠିକ୍ ଏମିତି ସମୟରେ ଆଉ ଗୋଟିଏ ସାଂଘାତିକ ଚିତ୍ର ସାମ୍ନାକୁ ଆସିଲାଣି। ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସ୍ଥିତି ସଂପର୍କରେ ସରକାର ଯେଉଁ ଗୋଲାପୀ ଚିତ୍ର ପ୍ରଦାନ କରୁଛନ୍ତି, ତାହାର ବାସ୍ତବତା ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ଦାବି କରିଛନ୍ତି ଯେ ରାଜ୍ୟରେ ୨୦୨୦-୨୧ ବର୍ଷ ଶେଷ ସୁଦ୍ଧା ୪ଲକ୍ଷ ୯୩ ହଜାର ୬୨୫ଟି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସ୍ଥାପନ କରାଯାଇଛି। ୨୩ ହଜାର ୬୮୯ କୋଟି ୨୯ଲକ୍ଷ ୫୬ ହଜାର କୋଟି ଟଙ୍କା ଏଥିରେ ପୁଞ୍ଜିନିବେଶ ହୋଇଛି ଏବଂ ୧୮ଲକ୍ଷ ୧୧ହଜାର ୩୧୬ଜଣ ନିଯୁକ୍ତି ପାଇଛନ୍ତି।
ହେଲେ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି (ସିଇଏ) ଙ୍କ ସର୍ବଶେଷ ରିପୋର୍ଟ ଭିନ୍ନ ସଙ୍କେତ ଦେଉଛି। ଏହି ରିପୋର୍ଟ କହୁଛି, ଓଡ଼ିଶାରେ ଏ କ୍ଷେତ୍ରରେ ବିଦ୍ୟୁତ ଉପଯୋଗର ପରିମାଣ ଅତି ନଗଣ୍ୟ। ରାଜ୍ୟରେ ଉପଲବ୍ଧ ବିଦ୍ୟୁତ୍ର ମାତ୍ର ୧.୮୨% ଏହି ସଂସ୍ଥାମାନେ ବ୍ୟବହାର କରୁଛନ୍ତି, ଯାହା ପୂର୍ବଭାରତରେ ଅର୍ଥାତ୍ ପଡ଼ୋଶୀ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍।
ରିପୋର୍ଟ ଅନୁସାରେ ଜାତୀୟସ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ବିଦ୍ୟୁତ ବ୍ୟବହାର ପରିମାଣ ୬.୪% ରହିଛି। ପୂର୍ବଭାରତକୁ ଯଦି ୟୁନିଟ୍ ଭାବେ ଗ୍ରହଣ କରିବା, ତେବେ ଏହାର ପରିମାଣ ୩.୧୩%। ପଡ଼ୋଶୀ ବିହାର ରାଜ୍ୟରେ ଉପଲବ୍ଧ ଥିବା ବିଦ୍ୟୁତର ୨.୮୮% ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଦି ପାଇଁ ବ୍ୟବହାର କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ୪.୫୯% ବିଦ୍ୟୁତ ଏହି କ୍ଷେତ୍ରରେ ବ୍ୟବହାର ହେଉଛି।
ଶକ୍ତି ସମୀକ୍ଷକଙ୍କର କହିବା କଥା ହେଉଛି ଯେ ରାଜ୍ୟ ସରକାର ଯେତିକି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଦାବି କରୁଛନ୍ତି ତାହା ଯଦି ସତ ହୋଇଥିବ, ତେବେ ବିଦ୍ୟୁତ ବ୍ୟବହାର ପରିମାଣ ଯଥେଷ୍ଟ ଅଧିକ ହୋଇଥାନ୍ତା। ଅତଏବ, ସରକାରଙ୍କର ଅନେକ ପ୍ରକଲ୍ପ କାଗଜକଲମରେ ରହିଛି, ଏ ସନ୍ଦେହକୁ ଟାଳି ହେଉନାହିଁ।
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଶକ୍ତି ବିଶେଷଜ୍ଞ ବିଭୁପ୍ରସାଦ ସ୍ବାଇଁ କହିଛନ୍ତି ଯେ ଓଡ଼ିଶା ଭଳି ରାଜ୍ୟ ପାଇଁ ଏମ୍ଏସ୍ଏମ୍ଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ହେଲେ ଏ କ୍ଷେତ୍ରରେ ଯେଉଁସବୁ ତଥ୍ୟ ଆସୁଛି, ତାହା ନୈରାଶ୍ୟଜନକ ବୋଲି କୁହାଯାଇପାରିବ। ଏଥିଲାଗି ଆଗ୍ରହୀ ସଂସ୍ଥାର ଆନ୍ତରିକତା ଅଭାବ ରହୁଛି କିମ୍ବା ରାଜ୍ୟ ସରକାରଙ୍କ ନୀତିରେ ତ୍ରୁଟି ରହିଛି, ତାହା ଏବେ ସମୀକ୍ଷା କରାଯିବା ଦରକାର। କିନ୍ତୁ ଏତିକି କୁହାଯାଇପାରିବ ଯେ ଏହି କ୍ଷେତ୍ରକୁ ନୂଆ ସଂସ୍ଥା ବା ଯୁବକଙ୍କୁ ଟାଣିବା ଲାଗି ଗୋଟିଏ ଅନୁକୂଳ ପରିବେଶ ଏଯାଏ ସୃଷ୍ଟି ହୋଇପାରିନାହିଁ। ଆହୁରି ସରଳ ଭାବେ କହିଲେ, ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ ନୀତି ବସ୍ତୁତଃ ଓଡ଼ିଶାରେ ବିଫଳ ହୋଇଛି।
ଶ୍ରୀ ସ୍ବାଇଁ କଳିଙ୍ଗନଗର ଅଞ୍ଚଳର ଉଦାହରଣ ଦେଇ କହିଥିଲେ ଯେ ସଂପୃକ୍ତ ଶିଳ୍ପାଞ୍ଚଳରେ ଅଧିକରୁ ଅଧିକ ଆନୁଷଙ୍ଗିକ ଶିଳ୍ପସଂସ୍ଥା ଓ ଏମଏସଏମ୍ଇ ପ୍ରକଲ୍ପ କରିବା ଲାଗି ସରକାର ଆଗ୍ରହ ଦେଖାଇଥିଲେ। ପାଖାପାଖି ୮୦ଜଣ ଏବେ ସରକାରୀ କାଗଜପତ୍ରରେ ତାଲିକାଭୁକ୍ତ ଅଛନ୍ତି। ଯେଉଁ ବ୍ୟତିକ୍ରମଟି ପରିଲକ୍ଷିତ ହୋଇଛି, ତାହା ହେଲା ଏହି ସଂସ୍ଥାମାନେ ଆବଶ୍ୟକ ଅର୍ଥ ଜମା କରିବା ପରେ ବି ସେମାନଙ୍କୁ ବିଦ୍ୟୁତ, ରାସ୍ତା, ଡ୍ରେନ୍ ଆଦି ଯୋଗାଇ ଦିଆଯାଇପାରିଲା ନାହିଁ।
ଅନ୍ୟପକ୍ଷରେ ରାଜନୈତିକ ମହଲରେ ଆଉ ଏକ ସଙ୍ଗିନ୍ ଉଦାହରଣ ଦିଆଯାଉଛି। ମିତ୍ତଲ କଂପାନି ପ୍ରକଳ୍ପ କରିବା ନେଇ ଆଗ୍ରହ ଦେଖାଇବା ବେଳେ ରାଜ୍ୟ ସରକାର ନିଜେ କେନ୍ଦ୍ରାପଡା ଗୋଟିଏ ଶିଳ୍ପ ବିହୀନ ଜିଲ୍ଲା ବୋଲି ଦର୍ଶାଇ ଏହି ପ୍ରକଳ୍ପ ସଂପର୍କରେ ଗୋଟିଏ ସକାରାତ୍ମକ ବାତାବରଣ ସୃଷ୍ଟି ଲାଗି ଉଦ୍ୟମ କରିଥିଲେ। ମାତ୍ର ଏମ୍ଏସ୍ଏମ୍ଇ ବିଭାଗର ମନ୍ତ୍ରୀ କିନ୍ତୁ ଏକଥା ମାନିବାକୁ ପ୍ରସ୍ତୁତ ନୁହନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପ ବିହୀନ ଜିଲ୍ଲା ବୋଲି କହିବା ତଥ୍ୟ ସମ୍ବଳିତ ନୁହେଁ। କାରଣ କେନ୍ଦ୍ରାପଡ଼ାରେ ୨ଟି ଶିଳ୍ପାଞ୍ଚଳ ରହିଛି। ଗୋଟିଏ କେନ୍ଦ୍ରାପଡ଼ାରେ ଓ ଅନ୍ୟଟି ବଳଭଦ୍ରପୁରରେ। ଏଠାରେ ଅନେକ ଶିଳ୍ପସଂସ୍ଥା କାର୍ଯ୍ୟ କରୁଛି। ମନ୍ତ୍ରୀ ଆହୁରି ପାଦେ ଆଗକୁ ଯାଇ କହିଥିଲେ ଯେ କେନ୍ଦ୍ରାପଡ଼ାରେ ଗତ ପାଞ୍ଚବର୍ଷରେ କୁଆଡ଼େ ୭୦୦୭ଟି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପସଂସ୍ଥା ସ୍ଥାପିତ ହୋଇଛି। ଏଥିରେ ୨୫୫କୋଟି ୫୬ଲକ୍ଷ ୨୩ ହଜାର ଟଙ୍କା ବିନିେଯାଗ ହୋଇଛି ଏବଂ ୧୬ ହଜାର ୪୨୫ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି। କେନ୍ଦ୍ରାପାଡ଼ାରେ ଏହି ପାଞ୍ଚବର୍ଷରେ ୧୭ଟି ଶିଳ୍ପସଂସ୍ଥା ସ୍ଥାପନ ପାଇଁ ସିଙ୍ଗିଲ୍ ଵିଣ୍ଡୋରେ ଅନୁମୋଦନ କରାଯାଇଛି।
କେନ୍ଦ୍ରାପଡ଼ା ଓ କଳିଙ୍ଗନଗର ଉଦାହରଣ ଏବଂ ରାଜ୍ୟରେ ଶକ୍ତି ବିନିଯୋଗ ସଂକ୍ରାନ୍ତ ସିଇଏର ରିପୋର୍ଟ ଦେଖି ବିଶେଷଜ୍ଞମାନେ ବି ହତଚକିତ। କେନ୍ଦ୍ରାପଡ଼ାରେ ଏତେ ସବୁ ଶିଳ୍ପ ହୋଇଗଲା, ହଜାର ହଜାର ଲୋକ ନିଯୁକ୍ତି ପାଇଗଲେଣି, ଏକଥା କେହି କେମିତି ଜାଣିପାରୁନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ଏତେ ତଥ୍ୟଗତ ପ୍ରମାଦ କିଭଳି ରହୁଛି?
ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟ ଭିତରେ ଅନେକ ବ୍ୟବଧାନ ରହିଛି। ସରକାର ଶିଳ୍ପ ସଂସ୍ଥା ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରୁଛନ୍ତି। ହେଲେ ଏଥିରେ ଏମଏସ୍ଏମ୍ଇ ପ୍ରକଳ୍ପ ପାଇଁ ସେଭଳି କୌଣସି ଉତ୍ସାହଜନକ କଥା ନାହିଁ। ବିଶେଷକରି ଓଡ଼ିଆ ପିଲାଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଉନାହିଁ। ପ୍ରକଳ୍ପ କରନ୍ତୁ କି ନକରନ୍ତୁ, ଶତ ପ୍ରତିଶତ ଜମି ବ୍ୟବହାର ହେଉ କି ନ ହେଉ; ବଡ ଶିଳ୍ପସଂସ୍ଥା, ବିଶେଷକରି ଅଣଓଡ଼ିଆଙ୍କୁ ଆଖିବୁଜା ଜମି ଟେକି ଦିଆଯାଉଛି। ଜମି ହରିଲୁଟ୍ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଓଡ଼ିଶାରେ ଜମି ଯେମିତି ମହଙ୍ଗା; ବିଜୁଳି ସ୍ଥିତି ତା’ଚାହିଁ ସଙ୍ଗିନ୍। ଅନେକ ପ୍ରକଳ୍ପ କାଗଜକଲମରେ ରହିଛି ଓ ସରକାରଙ୍କ ରିପୋର୍ଟ ଗୋଲାପୀ ଦିଶିବା ପଛର ଏହା ଅନ୍ୟତମ କାରଣ ବୋଲି କୁହାଯାଇପାରେ।