ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ : ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି

ଭୁବନେଶ୍ବର : ରାଜ୍ୟରେ ଉଦ୍ୟାନ ଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫସଲର ବିବିଧୀକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଫଳ, ପନିପରିବା ଆଦି ଚାଷ ଦିଗରେ ଉଦ୍ୟାନ କୃଷି ଅଧିକାରୀମାନେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଆଜି କୃଷି ଭବନରେ ଆୟୋଜିତ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଅଧିକାରୀମାନଙ୍କୁ ‘୫-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଡ଼ାକଡ଼ି ଭାବେ ଅନୁପାଳନପୂର୍ବକ ଅନ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ସମନ୍ବୟ ରକ୍ଷା କରି ଉଦ୍ୟାନ କୃଷି ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟକୁ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ମରୁଡ଼ି, ରୋଗପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଓଡ଼ିଶାରେ ଚାଷୀମାନେ କଠିନ ପରିଶ୍ରମ ଓ ଉନ୍ନତ ବିହନ, କୃଷି ଯନ୍ତ୍ରପାତି, ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିଛି। କନ୍ଦମୂଳ, କଖାରୁ, ଲେମ୍ବୁ, ପାଳଛତୁ ଉତ୍ପାଦନରେ ଓଡ଼ିଶା ଭାରତରେ ପ୍ରଥମ ଅଧିକାର କରିଥିଲା ବେଳେ ବାଇଗଣ ଉତ୍ପାଦନରେ ଦ୍ବିତୀୟ ଏବଂ କାଜୁବାଦାମରେ ତୃତୀୟ ସ୍ଥାନ ହାସଲ କରିପାରିଛି। ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ ଓ ଅର୍ଥକାରୀ ଫସଲ କରିବା ନିମନ୍ତେ ମାନସିକତାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଜିଲ୍ଲାର ଉଦ୍ୟାନ କୃଷି ଅଧିକାରୀମାନେ ଅନ୍ୟ ଆନୁଷଙ୍ଗିକ ବିଭାଗର ଅଧିକାରୀମାନଙ୍କ ସହିତ ନିୟମିତ ବୈଠକ ଆୟୋଜନ କରି ଜିଲ୍ଲାରେ ସମନ୍ବିତ କୃଷି ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଥିଲେ।

ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ ଯେ ସ୍ଥାନୀୟ ଚାଷୀଙ୍କ ସମସ୍ୟାର ଆଶୁ ସମାଧାନ ନିମନ୍ତେ ପ୍ରତି ସୋମବାର ପଞ୍ଚାୟତ ସ୍ତରୀୟ ବୈଠକ ଏବଂ ବ୍ଲକ୍‌ ସ୍ତରରେ ପ୍ରଥମ ଓ ତୃତୀୟ ଶନିବାରରେ ଅନୁଷ୍ଠିତ ବ୍ଲକ୍‌ସ୍ତରୀୟ ବୈଷୟିକ ବୈଠକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ ଉଦ୍ୟାନ କୃଷି ଅଧିକାରୀମାନେ ନିୟମିତ ଏହି ବୈଠକରେ ‌େଯାଗ ଦେବାକୁ ସେ କହିଥିଲେ। ସମୀକ୍ଷା ବୈଠକରେ କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର