ଟିକା ପାଇଁ ୩୩ କୋଟି ଟଙ୍କାର ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର : ରାଜ୍ୟ କରୋନା ଟିକାକରଣ ପାଇଁ ଆବଶ୍ୟକ କୋଲ୍‌ଡ ଚେନ୍ ଓ ଲଜିଷ୍ଟିକ୍ ପାଇଁ କେନ୍ଦ୍ରକୁ ୩୩ କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର। କରୋନା ଟିକା ଉପଲବ୍ଧ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନଙ୍କୁ ଏହି ଟିକା ପ୍ରଦାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କ ଯେଉଁ ଡା‌ଟାବେସ୍ ପ୍ରସ୍ତୁତ କରାଯାଇଥିଲା, ଏଥିରେ ତାଲିକା ସଂଖ୍ୟା ୩ ଲକ୍ଷ ଟପି ଯାଇଥିଲା। ଏ ଦୃଷ୍ଟିରୁ ଟିକାକୁ ସଂରକ୍ଷିତ ରଖିବା ଲାଗି ରାଜ୍ୟରେ ରେଫ୍ରିଜରେଟରଠାରୁ ଆରମ୍ଭ କରି ଟିକା ପ୍ରଦାନ ପାଇଁ ଛୁଞ୍ଚିର ମଧ୍ୟ ଆବଶ୍ୟକତା ରହିଛି। ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍ ଷ୍ଟୋର ଥିବା ବେଳେ ୯ଟି ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋର ଓ ୩୨ଟି ଷ୍ଟୋର ଜିଲ୍ଲାସ୍ତରରେ ରହିଛି। ଜିଲ୍ଲାସ୍ତରରେ ଥିବା ୧୨୨୨ କୋଲ୍‌ଡ ଚେନ୍ ପଏଣ୍ଟକୁ ଟିକା ପଠଯାଇଥାଏ। ତେଣୁ ଟିକା ରଖିବା ଲାଗି ରାଜ୍ୟ ସରକାର ଏସବୁ ଭ୍ୟାକ୍ସିନ୍ ଓ କୋଲ୍‌ଡ ଚେନ୍ ପଏଣ୍ଟକୁ ସଂପ୍ରସାରିତ କରିବା ଲାଗି ଯୋଜନା କରିଛନ୍ତି। ଏଥିପାଇଁ ୯୩୬ ଆଇସ-ଲାଇନ୍‌ଡ ରେଫ୍ରିଜରେଟର ବା ଆଇଏଲ୍‌ଆର୍‌, ୭୦ ବଡ଼ ଆଇଏଲଆର, ୩୦ ବୃହତ ଡିପ୍‌ ଫ୍ରିଜର, ୭୩୩୧ ନିଡିଲ ତଥା ହବ୍ କଟର, ୫୦୬ ସାର୍ପ ପିଟ୍‌, ୧୪୭୩ ଡାଟା ଲଗର୍ସ, ୨ଟି ୱାକ୍ ଇନ କୁଲର ଓ ୨ଟି ୧୫ କେଭିଏ ଜେନେରେଟ୍‌ର ଆବଶ୍ୟକ। ଯଦି ଟିକା ସହିତ କେନ୍ଦ୍ର ସରକାର ସିରିଞ୍ଜ ନ ଦିଅନ୍ତି, ତାହେଲେ ୧୦ କୋଟିର ସିରିଞ୍ଜର ମଧ୍ୟ ଆବଶ୍ୟକତା ରହିଛି। ଏସବୁ ପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ରାଜ୍ୟରେ ୩ ଲକ୍ଷ ୧୭ ହଜାର ୬୯୨ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ତାହାକୁ କୋଭିଡ୍‌ ଟିକା ପୋର୍ଟାଲରେ ଅପଲୋଡ୍‌ କରାଯାଇଛି। ଏଥିରେ ଡାକ୍ତର, ପାରାମେଡିକ୍, ଅଙ୍ଗନବାଡ଼ି କର୍ମୀ ରହିଛନ୍ତି। ଟିକା ଉପଲବ୍ଧ ହେବା ପରେ ପୋର୍ଟାଲକୁ ଅପଗ୍ରେଡ୍‌ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟରେ ଟିକା ପ୍ରଦାନକାରୀ ବା ଭାକ୍ସିନେଟରମାନଙ୍କ ମ୍ୟାପିଂ କାର୍ଯ୍ୟ ଶେଷ ହୋଇସାରିଛି। ରାଜ୍ୟରେ ଚାଲିଥିବା ନିୟମିତ ଟିକାକରଣ ବା ଆର୍‌ଆଇରେ ୮,୨୬୭ ଜଣ ନିୟୋଜିତ ଥିବା ବେଳେ ୨୯,୨୭୬ ସ୍ଥାନରେ ଟିକା ଦିଆଯାଉଥିବା ସରକାର ଚିହ୍ନଟ କରିସାରିଛନ୍ତି। ଏହାସହ ଟିକା ପାଇଁ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ ଷ୍ଟୟରିଂ କମିଟି ଗଠନ କରିଥିବା ବେଳେ ରାଜ୍ୟ ଟାସ୍କ ଫୋର୍ସ, ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କେଉଁ ଟିକା ପଠାଯିବ, ତାହା ସ୍ପଷ୍ଟ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଟିକା ସିଙ୍ଗିଲ ଡୋଜ୍‌ର ହେବ କିମ୍ବା ଡବଲ ଡୋଜ୍‌ ଦିଆଯିବାର ଆବଶ୍ୟକତା ପଡ଼ିବ, ତାହା କହିବା ସମ୍ଭବ ନୁହେଁ। କେନ୍ଦ୍ର ସରକାରଙ୍କୁ ଟିକା ପ୍ରଦାନ କରିବା ଲାଗି ଗାଇଡଲାଇନ୍ ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର