କେନ୍ଦ୍ରକୁ ପ୍ରାକୃତିକ ବିପର୍ଯ୍ୟୟ ଖର୍ଚ୍ଚ ତାଲିକା ଦେଲା ରାଜ୍ୟ

ଭୁବନେଶ୍ବର : ଗତ ତିନିଟି ଆର୍ଥିକ ବର୍ଷରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଥିବା ଅର୍ଥର ତାଲିକା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଗୃହ ମନ୍ତ୍ରଣାଳୟକୁ ଦିଆଯାଇଛି। ଏଥିରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାଦ୍ କେଉଁଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତା’ର ତାଲିକା ଦିଆଯାଇଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ରେ ବାତ୍ୟାୟ ୟାସ୍‌ ପାଇଁ ରାସ୍ତା ମରାମତି ଓ ପୁନରୁଦ୍ଧାର, ଆବର୍ଜନା ଉଠାଇବା ଏବଂ ଅନ୍ୟାନ୍ୟ ପାଇଁ ଏସ୍‌ଆର୍‌ସିଙ୍କ ନିକଟରେ ୭୯କୋଟି ୪୨ଲକ୍ଷ ୪୪ହଜାର ଟଙ୍କା କ୍ଷତି ହୋଇଥିବା ରିପୋର୍ଟ ହୋଇଛି। ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍ଏଫ୍ ପାଣ୍ଠିରୁ ୩୫କୋଟି ୮୦ଲକ୍ଷ ୭୬ହଜାର ଟଙ୍କା ଦିଆଯାଇଛି। ବାକି ୪୩କୋଟି ୬୧ଲକ୍ଷ ୬୮ହଜାର ଟଙ୍କା ଦିଆଯାଇନି।

୨୦୨୦-୨୧ରେ ବାତ୍ୟା ଅମ୍ଫାନ ଏବଂ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ମରାମତି ଓ ପୁନରୁଦ୍ଧାର, ଆବର୍ଜନା ଉଠାଇବା ପାଇଁ ୨୧୮କୋଟି ୭୩ଲକ୍ଷ ୧୩ହଜାର ଟଙ୍କାର କ୍ଷତି ଖର୍ଚ୍ଚ ଆକଳନ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦିଆଯାଇଥିଲା। ଏଥିପାଇଁ ଏସ୍‌ଆର୍‌ସି ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ୫୧କୋଟି ୧୨ଲକ୍ଷ ୮୬ହଜାର ଟଙ୍କା ଦେଇଛନ୍ତି। ଆହୁରି ୧୬୭କୋଟି ୬୦ଲକ୍ଷ ୨୭ହଜାର ଟଙ୍କା ବାକି ଅଛି। ୨୦୨୦-୨୧ରେ ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ମିଳିଥିବା ଅର୍ଥରୁ ୩୩କୋଟି ୨୮ଲକ୍ଷ ୭୧ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବାର୍ଷିକ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଣ୍ଠିରୁ ୨୬୨କୋଟି ୩୬ଲକ୍ଷ ୭୬ହଜାର ଟଙ୍କା ଖର୍ଚ୍ଚ ହୋଇଛି।।

୨୦୧୯-୨୦ରେ ବାତ୍ୟା ଫନି, ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ମରାମତି ଓ ପୁନରୁଦ୍ଧାର, ଆବର୍ଜନା ଉଠାଇବା ପାଇଁ ୨୭୯କୋଟି ୯୬ଲକ୍ଷ ୫୧ହଜାର ଟଙ୍କା କ୍ଷତି ଖର୍ଚ୍ଚ ଆକଳନ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦିଆଯାଇଥିଲା। ଏଥିପାଇଁ ଏସ୍‌ଆର୍‌ସି ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ୧୧୭କୋଟି ୪୮ଲକ୍ଷ ୨୬ହଜାର ଟଙ୍କା ଦେଇଛନ୍ତି। ଆହୁରି ୧୬୨କୋଟି ୪୮ଲକ୍ଷ ୨୫ହଜାର ଟଙ୍କା ବାକି ଅଛି। ୨୦୧୯-୨୦ରେ ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ୨୦କୋଟି ୩୫ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବାର୍ଷିକ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଣ୍ଠିରୁ ଉକ୍ତ ବର୍ଷ ୧୬୭କୋଟି ୫୭ଲକ୍ଷ ୭୬ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ବାତ୍ୟା ୟାସ୍‌ରେ ବିଭିନ୍ନ ସରକାରୀ କୋଠାରେ କ୍ଷୟକ୍ଷତି ହୋଇଥିବାରୁ ଏବାବଦକୁ ୨କୋଟି ୯୬ଲକ୍ଷ ୫୦ହଜାର ଟଙ୍କା କ୍ଷତି ଖର୍ଚ୍ଚ ଆକଳନ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦିଆଯାଇଛି। ଏଥିପାଇଁ ଏସ୍‌ଆର୍‌ସି କି କେହି କିଛି ଅର୍ଥ ଦେଇନାହାନ୍ତି। ୨୦୧୯-୨୦ରେ ବାତ୍ୟା ଫନିରେ ୨୯କୋଟି ୩୮ଲକ୍ଷ ୩୦ହଜାର ଟଙ୍କା କ୍ଷତି ଖର୍ଚ୍ଚ ଆକଳନ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦିଆଯାଇଥିବାବେଳେ ଏସ୍‌ଆର୍‌ସି ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍ ପାଣ୍ଠିରୁ ସମସ୍ତ ଅର୍ଥ ଦେଇଛନ୍ତି। ଏଥିରୁ ୫କୋଟି ୪୯ଲକ୍ଷ ୨୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ସରକାର ୨୧କୋଟି ୪୮ଲକ୍ଷ ୫୭ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୦-୨୧ରେ ଏହା ବାବଦକୁ ୨୩କୋଟି ୮୯ଲକ୍ଷ ୨ହଜାର ଟଙ୍କାର କ୍ଷତି ଖର୍ଚ୍ଚ ଆକଳନ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦିଆଯାଇଥିଲା। ଏସ୍‌ଆର୍‌ସି ଏ ବାବଦକୁ ୧୫କୋଟି ଦେଇଥିଲେ। ଏଥିରୁ ୧୨କୋଟି ୯୬ଲକ୍ଷ ୩୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟ ସରକାର ୩୭କୋଟି ୫୬ଲକ୍ଷ ୯୮ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୧-୨୨ରେ ରାଜ୍ୟ ସରକାର ୭୫ଲକ୍ଷ ୭ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର