ପିଏମ୍‌-କିଷାନ୍‌ ଯୋଜନାର ଅବ୍ୟବସ୍ଥାକୁ ଦେଖାଇଲା ରାଜ୍ୟ

ଧର୍ମେନ୍ଦ୍ରଙ୍କ ଚିଠିର ଜବାବ ରଖିଲେ ଅରୁଣ, ପୋର୍ଟାଲ୍‌ରେ ତଥ୍ୟ ସଂଶୋଧନ ପାଇଁ ରାଜ୍ୟକୁ ସୁଯୋଗ ମିଳୁ

ଭୁବନେଶ୍ବର : ପିଏମ୍‌-କିଷାନ ନିଧି ଯୋଜନାରେ ରାଜ୍ୟ ପ୍ରଶାସନ ଦ୍ବାରା ଆବଶ୍ୟକ ପ୍ରକ୍ରିୟା ଅନୁପାଳନ କରାଯାଉ ନାହିଁ। ଫଳରେ ପଞ୍ଜୀକୃତ ଓଡ଼ିଶାର ଚାଷୀଙ୍କ ମଧ୍ୟରୁ ବହୁତ କମ୍ ଚାଷୀ ଲାଭ ପାଉଛନ୍ତି ବୋଲି ଦୁଇ ଦିନ ତଳେ ଅଭିଯୋଗ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ। ଆଜି ଏହି ଚିଠିର ଜବାବ ରଖିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ପିଏମ୍‌-କିଷାନ ଯୋଜନାରେ ଥିବା ଅବ୍ୟବସ୍ଥା ସମ୍ପର୍କରେ ସେ କହିଛନ୍ତି। ପୋର୍ଟାଲ୍‌ରେ ଚାଷୀଙ୍କ ତଥ୍ୟ ସଂଶୋଧନ ପାଇଁ କିପରି ରାଜ୍ୟ ସରକାରଙ୍କୁ ସୁଯୋଗ ମିଳୁନି, ସେ ସମ୍ପର୍କରେ ବିସ୍ତୃତ ଭାବେ ଦର୍ଶାଇଛନ୍ତି।

ଶ୍ରୀ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପିଏମ୍‌-କିଷାନ ଯୋଜନାରେ ଥିବା ବ୍ୟବସ୍ଥା ଅନୁଯାୟୀ ଜମି ମାଲିକାନା ଥିବା ଯୋଗ୍ୟ ଚାଷୀଙ୍କ ପରିବାର ପିଏମ୍‌ କିଷାନ୍ ପୋର୍ଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହେବେ। ରାଜ୍ୟ ସରକାର କ୍ଷେତ୍ର ସ୍ତରରେ ଠିକ୍ ଯାଞ୍ଚ୍ କରି ଚାଷୀଙ୍କ ନାମ ପଞ୍ଜୀକୃତ କରିଛନ୍ତି। ପିଏମ୍‌-କିଷାନ୍ ପୋର୍ଟାଲ୍‌ରେ ଓଡ଼ିଶା ପକ୍ଷରୁ ମୋଟ୍‌ ୪୩.୧୭ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। କିନ୍ତୁ ୪୩.୧୭ ଲକ୍ଷ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ପିଏମ୍‌-କିଷାନ ଯୋଜନାରେ ସହାୟତା ପାଇବାକୁ ୩୮.୬୫ ଲକ୍ଷ ଚାଷୀଙ୍କ ନାମ ମଞ୍ଜୁର ହୋଇଛି। ଏହି ଯୋଜନାରେ ଅବଶିଷ୍ଟ ୪.୫୨ ଲକ୍ଷ ପଞ୍ଜୀକୃତ ଚାଷୀଙ୍କୁ ସୁବିଧା ଦେବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉ। ମଞ୍ଜୁର ହୋଇଥିବା ଚାଷୀଙ୍କ ମଧ୍ୟରୁ ୩୭.୧୯ ଲକ୍ଷ ଚାଷୀ(୯୬.୨୨%) ଏକ କିମ୍ବା ଅଧିକ କିସ୍ତିରେ ଅର୍ଥ ପାଇଛନ୍ତି। ପିଏମ୍‌-କିଷାନ ଯୋଜନାରେ ଗୋଟିଏ କିସ୍ତି ପାଇବାକୁ ଯୋଗ୍ୟ ହୋଇଥିବା ଜଣେ ଚାଷୀଙ୍କୁ ପରବର୍ତ୍ତୀ କିସ୍ତିଗୁଡ଼ିକରୁ କାହିଁକି ବଞ୍ଚିତ କରାଯାଉଛି, ତାହା ବୁଝାପଡ଼ୁନି। ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ଲଗାତାର ଯୋଗାଯୋଗ ପରେ ପିଏମ୍ କିଷାନ୍ ଟେକ୍ନିକାଲ୍‌ ଟିମ୍‌ ଏହାର ବହୁ କାରଣ ଦର୍ଶାଇଛନ୍ତି। ଟ୍ରାଞ୍ଜାକ୍ସନ୍ ଫେଲ୍‌, ପଞ୍ଜୀକୃତ ଚାଷୀଙ୍କ ନାମ ଓ ସେମାନଙ୍କ ଆଧାର ନାମ ନ ମିଶିବା, ଏଲ୍‌ଜିଡି କୋଡ୍‌ରେ ପରିବର୍ତ୍ତନ, ପିଏମ୍‌ଏମ୍‌ଏସ୍‌ ସହିତ ବ୍ୟାଙ୍କର ସମନ୍ବୟ ନ ରହିବା ଇତ୍ୟାଦି।

ରାଜ୍ୟ କୃଷି ମନ୍ତ୍ରୀ କହିଛନ୍ତି ଯେ ପଞ୍ଜୀକୃତ ଚାଷୀଙ୍କ ସମସ୍ତ ତଥ୍ୟ ପିଏମ୍‌-କିଷାନ ପୋର୍ଟାଲ୍‌ରେ ରାଜ୍ୟ ସରକାର ଅପ୍‌ଲୋଡ୍‌ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କୁ ଏହି ପୋର୍ଟାଲ୍‌ରେ ଆବଶ୍ୟକ ସଂଶୋଧନ ପାଇଁ ସୀମିତ ସୁଯୋଗ ଦିଆଯାଇଛି। ଅଧିକ ସଂଖ୍ୟାରେ ବ୍ୟାଙ୍କ ତଥ୍ୟ ସଂଶୋଧନ ଓ ଅନ୍ୟାନ୍ୟ ସଂଶୋଧନ କରିବା ସରକାରଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ସେଥିପାଇଁ ସବୁ ତଥ୍ୟ ‌ପୋର୍ଟାଲ୍‌ରୁ ବାଦ୍ ଦେବାକୁ ଓ ସମ୍ପୂର୍ଣ୍ଣ ସଂଶୋଧନ ପାଇଁ ଆଉ ଥରେ ସୁଯୋଗ ଦେବାକୁ ଓଡ଼ିଶା ଅନୁରୋଧ କରିଛି। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରଶାସନିକ ଓ ସଂଶୋଧନ ଅଧିକାର ଦେବା ପାଇଁ ପିଏମ୍‌-କିଷାନ୍‌ ପୋର୍ଟାଲ୍‌ ପରିଚାଳନା କରୁଥିବା ଟିମ୍‌କୁ କହିବା ନିମନ୍ତେ ଶ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କୃଷି ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ୨୦୧୮ ମସିହାରୁ ଚାଷୀଙ୍କ ପାଇଁ ଓଡ଼ିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଗତ ଫେବ୍ରୁଆରିରେ ୫୩.୫୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ ବେଳେ ମାତ୍ର ୦.୮% ଟ୍ରାଞ୍ଜାକ୍ସନ୍ ଭୁଲ୍‌ ହୋଇଛି। ଆଧାର କାର୍ଡରେ ଥିବା ନାମ ଓ ପୋର୍ଟାଲ୍‌ରେ ଥିବା ନାମ ମଧ୍ୟରେ ବନାନଗତ ଅମେଳ ଯୋଗୁ ଖୁବ୍ କମ୍ ଲୋକଙ୍କୁ ଟଙ୍କା ଯାଇପାରି ନାହିଁ। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ପାଇଁ ଓ ଶତ ପ୍ରତିଶତ ସଫଳ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସରକାରଙ୍କ ଟେକ୍ନିକାଲ୍‌ ଟିମ୍ ପିଏମ୍‌-କିଷାନ୍‌ର ଟେକ୍ନିକାଲ୍‌ ଟିମ୍ ସହ ଯୋଗ‌ାଯୋଗ ରଖି କାର୍ଯ୍ୟ କରୁଛନ୍ତି। ଏହା ଯୋଗୁ ଅନେକ ସମସ୍ୟା ମଧ୍ୟ ସମାଧାନ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବହୁ ସମସ୍ୟାର ସମାଧାନ ହେବାର ଆଶା ରହିଛି। ଯଦି ପୋର୍ଟାଲ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ସଂଶୋଧନ କରିବାର ସୁଯୋଗ ଓଡ଼ିଶାର ଟେକ୍ନିକାଲ୍‌ ଟିମ୍‌କୁ ଦିଆଯାଆନ୍ତା, ତେବେ ଚାଷୀ ଲାଭବାନ ହୋଇପାରନ୍ତେ ଓ ‌େସମାନଙ୍କ ଆୟ ଦ୍ବିଗୁଣିତ କରିବାରେ ସହାୟ ହୁଅନ୍ତା ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର