ରାୟଗଡ଼ା: କ୍ବାକଙ୍କ ଭୁଲ୍ ଇଞ୍ଜେକସନରେ ସାନଚାନ୍ଦିଲିର ଯୁବକ ପ୍ରଶାନ୍ତ କୌଶଲ୍ୟାଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ କୋର୍ଟରେ ମାମଲା ରୁଜୁ ହୋଇଥିଲା। ମାନବଧିକାର କର୍ମୀ ରବୀନ୍ଦ୍ର ମିଶ୍ର ଏହି ମାମଲା ରୁଜୁ କରିଥିବା ବେଳେ ସ୍ବାସ୍ଥ୍ୟ ସଚିବଙ୍କୁ ଆଜି ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ହୋଇଛି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ସାନ ଚାନ୍ଦିଲିର ପ୍ରଶାନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ଜେକେପୁର ବିସି ରୋଡରେ ଥିବା ବି. ଆନନ୍ଦ ରାଓଙ୍କୁ କ୍ଲିନିକକୁ ଯାଇଥିଲେ। ଶ୍ରୀ ରାଓ ପ୍ରଶାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝି ଦୁଇଟି ଇଞ୍ଜେକସନ୍ ସହ କିଛି ମେଡ଼ିସିନ୍ ଦେଇଥିଲେ। ପ୍ରଶାନ୍ତ କ୍ଲିନିକରୁ ଘରକୁ ଫେରିବା ପରେ ଶୌଚ ହେବା ପାଇଁ ବାଥରୁମକୁ ଯାଇଥିଲେ। ଏହି ସମୟରେ ବାନ୍ତି ହେବା ସହ ମୁହଁ ବୁଲାଇବାରୁ ପ୍ରଶାନ୍ତ ବାଥରୁମ୍ ଭିତରେ ପଡି ଯାଇଥିଲେ। ସେଠାରେ ହିଁ ପ୍ରଶାନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ପରିବାର ଲୋକ ପ୍ରଶାନ୍ତ ମୃତ୍ୟୁ ପାଇଁ କ୍ବାକ୍ ଶ୍ରୀ ରାଓଙ୍କୁ ଦାୟୀ କରି ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଚାନ୍ଦିଲି ପୁଲିସ୍ ମାମଲା ରୁଜୁ କରିବା ସହ ଶ୍ରୀ ରାଓଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଭୁଲ୍ ଇଞ୍ଜେକସନ୍ ଯୋଗୁ ମୃତ୍ୟୁ ହୋଇଥିବା ଜଣା ପଡିଲେ କ୍ବାକ୍ ଶ୍ରୀ ରାଓଙ୍କ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚାନ୍ଦିଲି ଥାନା ଅଧିକାରୀ ସୀମା ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏହି ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାୟଗଡ଼ା ସିଡିଏମଓ ଡା. ଲାଲମୋହନ ରାଉତରାୟ। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ହୋଇଛି। ଟିମ୍ କ୍ବାକ୍ ବି. ଆନନ୍ଦ ରାଓଙ୍କ କ୍ଲିନିକକୁ ଯାଇ ତଦନ୍ତ କରିବା ସହ ଶ୍ରୀ ରାଓଙ୍କ ବୟାନ୍ ରେକର୍ଡ କରିବ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ତଦନ୍ତକାରୀ ଟିମ୍ ଅନୁଧ୍ୟାନ କରିବ।