କରୋନା ମୁକାବିଲା ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବିଭିନ୍ନ ସ୍ଥାନରେ ପରୀକ୍ଷା ପାଇଁ ଅନୁମତି ‌ ଦେବାକୁ ଅନୁରୋଧ

ଝାରସୁଗୁଡା : ରାଜ୍ୟରେ ଦିନିକୁ ଦିନ ବିଦେଶ ତଥା ଅନ୍ୟ ରାଜ୍ୟ ଫେରନ୍ତାମାନେ ଅଧିକରୁ ଅଧିକ ପଞ୍ଜିକୃତ କରୁଛନ୍ତି। ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯିବା ସହ ସ୍ୱାବ୍‌ ପରୀକ୍ଷଣ ମଧ୍ୟ କରାଯାଉଛି। ଇତି ମଧ୍ୟରେ ଓଡିଶାରେ ୫ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ମୁକାବିଲା କରୁଛନ୍ତି। ରାଜ୍ୟରେ କୋରନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପତ୍ର ଲେଖିଥିବା ଜଣାଇଛନ୍ତି। ଏହି ଚିଠିରେ ରାଜ୍ୟକୁ କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ମାସ୍କ୍‌, ସାନିଟାଇଜର, ଭେଣ୍ଟିଲେଟର, ଟେଷ୍ଟିଙ୍ଗ କିଟ୍‌, ପିପିଇ(ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁପମେଣ୍ଟ) ପ୍ରଭୃତି ଶୀଘ୍ର ଯୋଗାଇ ଦିଆଯାଉ ବୋଲି ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଏଥି ସହିତ ବୁର୍ଲା ଭିମସାର ଓ ଏବଂ ବ୍ରହ୍ମପୁର ଏମ୍‌କେସିଜିରେ ସ୍ୱାବ୍‌ ପରୀକ୍ଷଣରପାଇଁ ଅନୁମତି ପ୍ରଦାନ କରାଯିବା ସହ ରାଜ୍ୟରେ ଥିବା ୪ ଟି ମେଡ଼ିକାଲ କଲେଜରେ ସ୍ୱାବ୍‌ ପରୀକ୍ଷଣ ପାଇଁ କିଟ୍‌ ଯୋଗାଇଦେବାକୁ ସେ ଅନୁରୋଧ କରିଥିବା କହିଛନ୍ତି।

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟର ସବୁ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋବିଡ୍ ହସ୍ପିଟାଲ ସ୍ଥାପନ କରାଯିବ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟବିଭାଗ ବିଭିନ୍ନ ଘରୋଇ ହସପିଟାଲ ସହଯୋଗରେ କୋବିଡ୍‌ ହସ୍ପିଟାଲଗୁଡିକ ପ୍ରସ୍ତୁତ କରିବ। କଟକ ବଡ ମେଡିକାଲରେ କେନ୍ଦ୍ର ସରକାର ଓ ଆସିଏମ୍‌ଆର୍‌ ରକ୍ତ ନମୁନା ପରୀକ୍ଷଣ ପାଇଁ ସ୍ୱିକୃତୀ ଦେଇ ଥିବାବେଳେ ବୁର୍ଲା, ବ୍ରହ୍ମପୁର ପରି ମେଡିକାଲରେ ରକ୍ତ ନମୁନା ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ ମନ୍ତ୍ରୀ ଶ୍ରୀ ଦାସ ଆଲୋଚନା କରିଥିବା ସହିତ ଗତ କାଲି ଚିଠି ଲେଖି ଜଣାଇଛନ୍ତି। ସେହିପରି କରୋନା ମୁକାବିଲା ପାଇଁ ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ କେନ୍ଦ୍ର ସରକାର ପାଖରେ ଶ୍ରୀ ଦାସ ଦାବି କରିଛନ୍ତି ଏବଂ କେନ୍ଦ୍ର ପକ୍ଷରୁ ଶୀଘ୍ର ଏହା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସେହିପରି ଝାରସୁଗୁଡାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନ ପାଇଁ ଗତ ମଙ୍ଗଳବାର ଝାରସୁଗୁଡା ଠାରେ କେୟାର ହସପିଟାଲ ଓ ବିକାଶ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। କିପରି ଭାବରେ କୋଭିଡ୍‌ ହସ୍ପିଟାଲ ଶୀଘ୍ର ସ୍ଥାପନ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି। ଝାରସୁଗୁଡ଼ାରେ କୋଭିଡ୍ ହସ୍‌ପିଟାଲ ସ୍ଥାପନ ପାଇଁ ବ୍ଲାକ ଡାଇମଣ୍ତ ସ୍କୁଲ କିମ୍ବା ଲହଣ୍ତାବୁଡ଼ ଠାରେ ଥିବା ନବୋଦୟ ବିଦ୍ୟାଳୟ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ତି, ସୁନ୍ଦରଗଡ, ପୁରୀ, ବାଲେଶ୍ବର, ଭଦ୍ରକ, ଅନୁଗୋଲ ଢେଙ୍କାନାଳ ପରି ସମସ୍ତ ଜିଲ୍ଲାରେ କୋଭିଡ୍ ହସପିଟାଲ ଶୀଘ୍ର କାର୍ଯ୍ୟକାରୀ ହେବାନେଇ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ କରୋନାର ପ୍ରତିକାର ପାଇଁ ଆଲୋଚନା ତଥା ପଦକ୍ଷେପମାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଖସଡା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ସମସ୍ତେ ମାନବ ସମାଜକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଲାଗି ପଡିଛନ୍ତି। ସରକାରଙ୍କ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଗାଇଡ ଲାଇନକୁ ଅବଲମ୍ବନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖି କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର