ଭୁବନେଶ୍ବର: ଓଡ଼ିଶାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୁଖ୍ୟତଃ କୋଭାକ୍ସିନ ଟିକା ବ୍ୟବହୃତ ହେଉଥିବା ବେଳେ ଭୁବନେଶ୍ବରକୁ ଛାଡ଼ି ରାଜ୍ୟର ଅନ୍ୟ ଅଞ୍ଚଳରେ କୋଭିସିଲ୍ଡ ଟିକା ଦିଆଯାଉଛି।

Advertisment

ଭୁବନେଶ୍ବରର ଧାର୍ଯ୍ୟ ହିତାଧୀକାରୀମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଓ ୪୫ବର୍ଷ ବୟସରୁ ଅଧିକଙ୍କୁ ୩,୯୬,୩୬୫ ଡୋଜ ‌କୋଭାକ୍ସିନର ଆବଶ୍ୟକତା ଥିବା ବେଳେ ଦ୍ବିତୀୟ ଡୋଜ ଟିକାକରଣ ନିମନ୍ତେ ୭,୯୨,୭୩୦ଡୋଜ ଆବଶ୍ୟକ। ଅନ୍ୟପକ୍ଷରେ ରାଜ୍ୟକୁ ୯,୮୬,୭୮୦ କୋଭାକ୍ସିନ ଡୋଜ ଯୋଗାଇ ଦିଆଯାଇଛି। ସେହିପରି ଜୁନ ମାସରେ ୧,୫୧,୫୮୦ ଡୋଜ ଯୋଗାଇ ଦିଆଯିବ। ଫଳରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୩,୪୫,୫୫୦ ଡୋଜ ଟିକା ରାଜ୍ୟରେ ବଳକା ହେବ।

ଅନ୍ୟପକ୍ଷରେ ୧୮ରୁ ୪୪ବର୍ଷ ଟିକାକରଣ କାର୍ଯ୍ୟକ୍ରମର ୩ପର୍ଯ୍ୟାୟ ମଇ୧ରୁ ୨୦୨୧ରୁ ଆରମ୍ଭ ହୋଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୩୭,୪୨୬ଜଣଙ୍କୁ ଟିକା ଦିଆ ସରିଲାଣି। ସେହିପରି ମଇ ମାସରେ ରାଜ୍ୟର ଭାଗ ୧,୬୫,୯୪୦ ଡୋଜ କୋଭାକ୍ସିନ ଚଳିତ ମାସ ଶେଷ ସୁଦ୍ଧା ଶେଷ ହୋଇଯିବ।

ସେହିପରି ଜୁନ ମାସରେ ମିଳିବାକୁ ଥିବା ଟିକା ୧,୬୪,୩୭୦ ଡୋଜ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଶେଷ ହୋଇଯିବ। ଯାହାଦ୍ବାରା ଜୁନ ମାସରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଭୁବନେଶ୍ବରର ୧୮ରୁ ୪୪ବର୍ଷ ଧାର୍ଯ୍ୟ ହିତାଧିକାରୀ ହେଉଛନ୍ତି ୫.୧୭ଲକ୍ଷ। ଯେଉଁଥିପାଇଁ କି ୧୦.୩୪ଲକ୍ଷ ଡୋଜ କୋଭାକ୍ସିନ ଆବଶ୍ୟକ। ମଇ ମାସ ଶେଷ ସୁଦ୍ଧା ୧.୬୫ଲକ୍ଷ ଡୋଜ କୋଭାକ୍ସିନ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟରେ ଶେଷ ହେବ। ରାଜ୍ୟରେ ୩.୫୨ଲକ୍ଷ ଡୋଜ କୋଭାକ୍ସିନ ଆବଶ୍ୟକ ହେବ। ଏଣୁ ଜୁନ ମାସରେ ବଳକା ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇ ପାରିବ।

ଏହି ଅସୁବିଧାକୁ ଉପଲବ୍ଧି କରି ଯେହେତୁ ଭୁବନେଶ୍ବର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ଓ ଗମନାଗମନ ସଡ଼କ ପଥ, ରେଳପଥ ଓ ଆକାଶ ମାର୍ଗରେ ସଂଯୋଗିକରଣର ସୁବିଧା ରହୁଥିବାରୁ ଭୁବନେଶ୍ବର କୋଭିଡ ସଂକ୍ରମଣ ଦୃଷ୍ଟିରୁ ସର୍ବଦା ସମ୍ବେଦନଶୀଳ ଅଞ୍ଚଳ ଅଟେ। ତେଣୁ ଏଠାକୁ ପର୍ଯ୍ୟାପ୍ତ ପରିମାଣରେ ଟିକା ପ୍ରଦାନର ଆବଶ୍ୟକତା ରହିଛି।

ଏହି ସବୁ ସମସ୍ୟାର ନିରାକରଣ ନିମନ୍ତେ ରାଜ୍ୟ‌ରେ ଯେଉଁ ୩.୪୫ଲକ୍ଷ ଡୋଜ କୋଭାକ୍ସିନ ଗଚ୍ଛିତ ଅଛି। ତାହାକୁ ୧୮ରୁ ୪୫ବର୍ଷ ହିତାଧିକାରୀମାନଙ୍କୁ ସ୍ବଳ୍ପ ଅବଧି ପାଇଁ ଋଣ ଆକାରରେ ଦିଆଗଲେ ପରବର୍ତ୍ତୀ ସମୟରେ ରାଜ୍ୟ କୋଟାରୁ ଏହାକୁ ଭରଣା କରାଯାଇ ପାରିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ଏବଂ ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆବଶ୍ୟକୀୟ ଅନୁମତି ଲୋଡିଛନ୍ତି।