ରାଜ୍ୟ ସ୍ବାସ୍ଥ୍ୟ ନୀତି ପାଇଁ ଡ୍ରାଫ୍‌ଟ ପଲିସି ତର୍ଜମା, ୧୫ ଦିନ ଭିତରେ ମତ ଦେବାକୁ ପରାମର୍ଶ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ବାସ୍ଥ୍ୟ ପରାମର୍ଶଦାତା

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ନୀତିର ଡ୍ରାଫ୍‌ଟ ପଲିସି ଉପରେ ଆଜି ପୁଙ୍ଖାନୁପୁଙ୍ଖ ତର୍ଜମା ହୋଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡା. କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ୍ରାଫ୍‌ଟ ପଲିସିର ବିଭିନ୍ନ ଦିଗରେ ଆଲୋଚନା ହୋଇଛି। ଆସନ୍ତା ୧୫ଦିନ ଭିତରେ ଡ୍ରାଫ୍‌ଟ ପଲିସି ଉପରେ ଚୂଡ଼ାନ୍ତ ମତାମତ ଦେବା ପାଇଁ ବିଶେଷଜ୍ଞମାନଙ୍କୁ କୁହାଯାଇଛି। ମତାମତ ମିଳିବା ପରେ ଅଧିକ ତର୍ଜମା କରାଯିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନଜରରେ ରଖି ଚୂଡ଼ାନ୍ତ ସ୍ବାସ୍ଥ୍ୟନୀତି ପ୍ରସ୍ତୁତ ହୋଇ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ନୀତିରେ ଦୁଇପ୍ରକାର ଯୋଜନା ଉପରେ ଆଜି ଆଲୋକପାତ କରାଯାଇଥିଲା। ବର୍ଷିକିଆ ବା ସ୍ବଳ୍ପମିଆଦୀ ଓ ୫ବର୍ଷିଆ ବା ଦୀର୍ଘମିଆଦୀ ନୀତି ପ୍ରସ୍ତୁତ ଲାଗି ବିଶେଷଜ୍ଞମାନେ ମତ ଦେଇଥିଲେ। ଏଥିସହ ବର୍ତମାନ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ଯନ୍ତ୍ରପାତି, ମାନବସମ୍ବଳ ଓ ଭିତ୍ତିଭୂମି ଆଦିର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଏହାବାଦ୍ କେଉଁ ଅଞ୍ଚଳରେ କି ପ୍ରକାର ସ୍ବାସ୍ଥ୍ୟସେବାର ଆବଶ୍ୟକତା ରହିଛି, ତାହା ସ୍ବାସ୍ଥ୍ୟନୀତିରେ ସ୍ଥାନ ପାଇବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି।

ଡ୍ରାଫ୍‌ଟ ପଲିସିରେ ଥିବା ବିଭିନ୍ନ ସ୍ବାସ୍ଥ୍ୟସେବା ବିଶେଷକରି ହୃଦ୍‌ରୋଗ, କର୍କଟ, ଟ୍ରମା କେୟାର, ନିରାମୟ, ନିଦାନ, ନିର୍ମଳ, ଇ-ମେଡିକାଲ ରେକର୍ଡ, ଟେଲି ମେଡିସିନ୍, ଜନ୍ମ/ମୃତ୍ୟୁର ଅନଲାଇନ୍ ପ୍ରମାଣପତ୍ର, ବର୍ଜ୍ୟବସ୍ତୁ ପରିଚାଳନା, ମାନସିକ ସ୍ବାସ୍ଥ୍ୟ, ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ରୋଗ ନିୟନ୍ତ୍ରଣ ଲାଗି ଅନ୍ୟାନ୍ୟ ବିଭାଗ ସହ ସମନ୍ବୟ ରକ୍ଷା କରିବା, ମେଡିକାଲ କଲେଜର ବିଭାଗଗୁଡ଼ିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା, କ୍ୟାପିଟାଲ ହସ୍ପିଟାଲର ଉନ୍ନତୀକରଣ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ‘ମୋ ସରକାର’ ଯୋଜନାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ରୋଗୀଙ୍କଠାରୁ ମତ ସଂଗ୍ରହ ଲାଗି ସ୍ଥିର କରିଛନ୍ତି। ତେଣୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ରାଜ୍ୟବାସୀ ଯେଭଳି ଉତ୍କୃଷ୍ଟ ଓ ଗୁଣାତ୍ମକ ସେବା ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ସ୍ବାସ୍ଥ୍ୟନୀତି ପ୍ରସ୍ତୁତ କରାଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ନୀତି ପ୍ରସ୍ତୁତ ସମୟରେ ଗୁରୁତ୍ବ ଦିଆଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଅଧିକ ସୁଦୃଢ଼ କରାଯାଇ ରୋଗ ପ୍ରତିରୋଧକ ବ୍ୟବସ୍ଥା ଓ ଚିକିତ୍ସା ସେବା, ଜିଲ୍ଲା ସ୍ବାସ୍ଥ୍ୟ ବ୍ୟବସ୍ଥା ପରିଚାଳନାରେ ପରିବର୍ତନ ଆଣି ଜିଲ୍ଲାସ୍ତରରେ ଏହାର ଅନୁଧ୍ୟାନ, ଆବଶ୍ୟକ ମୁତାବକ ମାନବ ସମ୍ବଳ ବ୍ୟବସ୍ଥା, ରୋଗୀମାନଙ୍କର ପକେଟ ଖର୍ଚ ହ୍ରାସ କରିବାକୁ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଡାକ୍ତରଙ୍କଠାରୁ ଆରମ୍ଭ କରି ପାରାମେଡିକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ ଦିଆଯିବ।

ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟ ନୀତି ଚୂଡ଼ାନ୍ତ ପାଇଁ ଡା. ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨୮ଜଣିଆ କମିଟି ଗଠନ କରାଯିବା ସହ ଏଥିରେ ସ୍ବତନ୍ତ୍ର ସଦସ୍ୟ ଭାବେ କେତେକ ବିଶେଷଜ୍ଞଙ୍କୁ ସ୍ଥାନିତ କରିଛନ୍ତି। ପରେ ଅପରାହ୍‌ଣରେ ପରାମର୍ଶଦାତା ଡା. ରେଡ୍ଡୀ ଓ ସ୍ବାସ୍ଥ୍ୟ ପରାମର୍ଶଦାତା ପ୍ରସନ୍ନ କୁମାର ପ୍ରଧାନ ସ୍ବାସ୍ଥ୍ୟମନ୍ତ୍ରୀ ନବକ‌ିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ସ୍ବାଗତ ଭାଷଣରେ ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ସ୍ବାସ୍ଥ୍ୟ ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ସ୍ବାସ୍ଥ୍ୟ ପରାମର୍ଶଦାତା ଶ୍ରୀ ପ୍ରଧାନ, ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ବିଭାଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ, ନିର୍ଦେଶକବୃନ୍ଦ, ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଅଶୋକ ମହାପାତ୍ର, ମେଡିକାଲ କଲେଜଗୁଡ଼ିକର ବିଭାଗୀୟ ମୁଖ୍ୟ, ଓମ୍‌ସା ଓ ଓମ୍‌ଟାର ସଭାପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର