ରାଜ୍ୟ ଓ ବିଦେଶରୁ ଆସିଥିବା ୨୮୫୬ ଜଣଙ୍କ ସହ ହୋଇପାରିନି ଯୋଗାଯୋଗ, ତୁରନ୍ତ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟ ରାଜ୍ୟ ଓ ବିଦେଶରୁ ଆସିଥିବା ୨୮୫୬ ଜଣଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ । ତେଣୁ ଏମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ହୋମ କ୍ୱାରେଣ୍ଟାଇନାରେ ରଖାଯାଉ । ନହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ।

ସ୍ୱାସ୍ଥ୍ୟ ସଚିବ ଚିଠିରେ ଲେଖିଛନ୍ତି, ୧୪ ଦିନ ହେବ ଏହି ବ୍ୟକ୍ତିମାନେ ଅନ୍ୟ ରାଜ୍ୟରୁ ଅଥବା ବିଦେଶରୁ ଫେରିଛନ୍ତି । କିନ୍ତୁ ସେମାନଙ୍କୁ ଚିହ୍ନଟ କରାଯାଇ ନପାରିବା ଉଦବେଗର ବିଷୟ । ଜିଲ୍ଲା ସ୍ତରରେ ସର୍ଭେଲାଇନ ଟିମର ନଜରକୁ ମଧ୍ୟ ନ ଆସିବା ପରିତାପର ବିଷୟ । ସେମାନଙ୍କୁ ଯଦି ହୋମ କ୍ୱାରେଣ୍ଟାଇନରେ ନ ରଖାଯିବ ତା’ହେଲେ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶା ରହିଛି । ତେଣୁ ସେମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ହୋମ କ୍ୱାରେଣ୍ଟାଇନରେ ରଖିବାର ଆବଶ୍ୟକତା ଅଛି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ସମଗ୍ର ଦେଶ ସମେତ ଓଡ଼ିଶା ଗତ ୨୫ ତାରିଖରୁ ଲକଡାଉନ ଘୋଷଣା ହେବା ପରେ ପ୍ରବାସୀ ଓଡ଼ିଆଙ୍କ ଉପରେ ଅଧିକ ନଜର ରଖିଛନ୍ତି । ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକଗୁଡ଼ିକ କାର୍ଯ୍ୟ ହାତମୁଠାକୁ ନେଇଛନ୍ତି । ରାଜ୍ୟ ସରକାର କେବଳ ସହରାଞ୍ଚଳରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ପୁଲିସ ମୁତୟନ କରିବା ସହ ଲକଡାଉନକୁ କଡ଼ାକଡି କରି ଦେଇଛନ୍ତି ।

ସମ୍ବନ୍ଧିତ ଖବର