ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚଦାବି ପାରିତ

ଭୁବନେଶ୍ୱର : ଆଜି ବିଧାନସଭାର ଅପରାହ୍ଣ ଅଧିବେଶନରେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚଦାବି ଉପରେ ଆଲୋଚନା ହୋଇଥିଲା। ଶେଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୪୫୨୬ କୋଟି ୯୮ ଲକ୍ଷ ୫୪ ହଜାର ଟଙ୍କା ଏବଂ ଉଚ୍ଚଶିକ୍ଷା ବିଭାଗର ୨୨୯୪ କୋଟି ୧୭ ଲକ୍ଷ ୩୫ ହଜାର ଟଙ୍କାର ବ୍ୟୟବରାଦ ପାରିତ ହୋଇଥିଲା। ଆଲୋଚନାରେ ଉଭୟ ବିଭାଗର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳର ସଦସ୍ୟମାନେ। ବିରୋଧୀଙ୍କ ଅଭିଯୋଗକୁ ପ୍ରତିହତ କରି ଶିକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଫଳତା ସଂପର୍କରେ ଶାସକ ଦଳର ସଦସ୍ୟମାନେ ବର୍ଣ୍ଣନା କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଭାବିକ ଶୈଳୀରେ ଆଲୋଚନା ଆରମ୍ଭ କରିନଥିଲେ ହେଁ ତୁହାକୁ ତୁହା ପ୍ରଶ୍ନ ପଚାରି ଉଭୟ ବିଭାଗର ମନ୍ତ୍ରୀଦ୍ୱୟଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲେ। ସେ ପଚାରିଥିଲେ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡିଏଭି ସ୍କୁଲକୁ ନକଲି। ଏହାକୁ ଅନୁବନ୍ଧିତ କରାଯାଇଛି କି? ଏହା ବିରୁଦ୍ଧରେ ଫୌଜଦାରି ମାମଲା ହେବ କି? ସେହିପରି ତାଙ୍କ ବଲାଙ୍ଗୀର ନିର୍ବାଚନମଣ୍ଡଳୀର ସ୍କୁଲ, କଲେଜ ଏବଂ ଶିକ୍ଷାର ସ୍ଥିତି ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ରାଜେନ୍ଦ୍ର ମହାବିଦ୍ୟାଳୟକୁ ସରକାର କେବେ ବିଶ୍ୱବିଦ୍ୟାଳୟ ଘୋଷଣା କରିବେ? ସେହିପରି ଓଡ଼ିଶା ଶିକ୍ଷା ଆଇନରେ ଅସଙ୍ଗତି ରହିଥିବା ନେଇ ପ୍ରଶ୍ନ ପଚାରିଥିଲେ। ସୁପ୍ରିମ କୋର୍ଟ ଶିକ୍ଷାକୁ ମୌଳିକ ଅଧିକାର ବୋଲି ମତ ଦେଇଛନ୍ତି। ତେବେ ମୌଳିକ ଅଧିକାରର ସୁରକ୍ଷା ପାଇଁ ଭଲ ଶିକ୍ଷକ, ସେଥିପାଇଁ ଭଲ ଦରମା ଦେବାର ଆବଶ୍ୟକତା ରହିଥିବା ଶ୍ରୀ ମିଶ୍ର କହିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପଚାରିଥିଲେ, କଲେଜ ପରିଚାଳନା ପରିଷଦର ସଭାପତି ଭାବେ ସେମାନଙ୍କୁ କାହିଁକି ରଖାଯାଇଛି? ସେ ସରକାରଙ୍କୁ ବାରମ୍ବାର ଚିଠି ଲେଖି ନିବେଦନ କରୁଥିଲେ ବି ତାଙ୍କୁ ଉତ୍ତର ମିଳିବା ଦୂରର କଥା, ପ୍ରାପ୍ତିସ୍ୱୀକାର ବି ମିଳୁନଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ବିଧାୟକ ରବି ନାୟକ ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକ ପଦ ଫାଙ୍କା ପଡ଼ିଥିବା ଅଭିଯୋଗ କରିଥିଲେ। ବିନିଯୋଗ ପତ୍ର ଦେବାରେ ଗଣଶିକ୍ଷା ବିଭାଗ ପଛୁଆ ବୋଲି ଦର୍ଶାଇଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ, ୧୮ ବର୍ଷର ବିଜେଡି ସରକାରଙ୍କ ଶାସନ ସମୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ୩୮୬୫୯ଟି ଶିକ୍ଷକ ପଦବି ଖାଲି। ବର୍ତମାନ ତିନିଶ୍ରେଣୀର ଶିକ୍ଷକ, ତିନିପ୍ରକାର ଦରମା ଯଥା: ୭ ହଜାର, ୧୦ ହଜାର ୫୦ ହଜାର ଟଙ୍କାର ଦରମା ପାଉଛନ୍ତି। ଗୋଟିଏ ଶ୍ରେଣୀରେ ପ୍ରଥମରୁ ୪ର୍ଥ ପର୍ଯ୍ୟନ୍ତ କ୍ଲାସ ଚାଲିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିବା ଦର୍ଶାଇ ଶ୍ରୀ ବାହିନୀପତି ବିକ୍ରମଦେବ ମହାବିଦ୍ୟାଳୟକୁ ସରକାର କେବେ ବିଶ୍ୱବିଦ୍ୟାଳୟ ଘୋଷଣା କରିବେ ବୋଲି ପଚାରିଥିଲେ। ସେହିପରି କଂଗ୍ରେସ ବିଧାୟକ ଭୁଜବଳ ମାଝୀ, କେଙ୍ଗମ ସୂର୍ଯ୍ୟାରାଓ ଶିକ୍ଷା ବ୍ୟବସ୍ଥାର ଅଧୋଗତି ସଂପର୍କରେ ମତ ଦେଇଥିଲେ।

ବିରୋଧୀଙ୍କ ଅଭିଯୋଗ ଖଣ୍ଡନ କରି ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ, ଓଡ଼ିଶା ଏବେ ଶିକ୍ଷା ହବ୍‌ରେ ପରିଣତ ହୋଇଛି। ବର୍ତମାନ ରାଜ୍ୟରେ ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୫ଟି ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଲେ, ରାଜ୍ୟରେ ଅନୁସୂଚିତ ଜନଜାତି ବାଳିକାଙ୍କ ମଧ୍ୟରେ ଡ୍ରପ୍‌-ଆଇଟ୍‌ ସଂଖ୍ୟା ହ୍ରାସ ପାଇବା ଶିକ୍ଷା ଅଭିବୃଦ୍ଧିର ପରିମାପକ। ସେହିପରି ଶାସକ ଦଳର ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନିତ୍ୟାନନ୍ଦ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସେଠୀ, ଅଶ୍ୱିନୀ ପାତ୍ର ପ୍ରମୁଖ ପ୍ରଶ୍ନ ଜରିଆରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ।

ବିରୋଧୀ ଦଳ ନେତାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ୭ ଦିନରେ ଉତ୍ତର ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଥିଲେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ସେ ସୂଚନା ଦେଇଥିଲେ। ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଭାଗୀୟ ବଜେଟ୍‌ର ଉଲ୍ଲେଖନୀୟ ଦିଗଗୁଡ଼ିକ ପ୍ରତି ବିସ୍ତତ ଭାବେ ବର୍ଣ୍ଣନା କରିଥିଲେ। କେନ୍ଦ୍ରାପଡ଼ା ଡିଏଭି ସ୍କୁଲ ପ୍ରସଙ୍ଗରେ ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର