ୟୁଜିସି ପକ୍ଷରୁ ଜାରି ପରୀକ୍ଷା ନିର୍ଦ୍ଦେଶନାମାର ପୁନର୍ବିଚାର ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ୟୁଜିସି ସମସ୍ତ ବିଶ୍ ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ୩୦.୦୯.୨୦୨୦ ସୁଦ୍ଧା କରିବା ଲାଗି ଦେଇଥିବା ନିର୍ଦ୍ଦେଶ ନେଇ ରାଜ୍ୟ  ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଆଜି ଏକ ପତ୍ର ଲେଖିଛନ୍ତି। ଏହି  ବାଧ୍ୟତାମୂଳକ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ପୂର୍ବରୁ ୨୯.୦୪.୨୦୨୦ରେ ପ୍ରବର୍ତ୍ତିତ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି। ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ କୋଭିଡ-୧୯ସ୍ଥିତି ଅନୁଧ୍ୟାନ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇ ପାରିବେ ବୋଲି ଉଲ୍ଲେଖ କରିଥିଲେ। ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତିମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷାଗୁଡ଼ିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସ ରୁମ ପରୀକ୍ଷା କିମ୍ବା ଅନ୍‌ଲାଇନ୍‌ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଡଃ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପୁବନିର୍ଦ୍ଧାରିତ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ମନ୍ତ୍ରୀ ଡଃ ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର