ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ବିଜେପି

ଭୁବନେଶ୍ବର: ହାଇଦର ଖସିଯିବା ଘଟଣାରେ ରାଜ୍ୟ ଗୃହ ବିଭାଗକୁ ଦାୟୀ କରିଛି ବିଜେପି। ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ନିୟମ ଅନୁଯାୟୀ କୌଣସି ଅପରାଧୀ ଜେଲ୍‌ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲ୍‌ର ମେଡିକାଲ ଅଫିସର୍‌ ଓ ଜେଲ୍‌ ଅଧୀକ୍ଷକଙ୍କ ସୁପାରିସ୍‌କ୍ରମେ ଜେଲ୍‌ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବା ଆବଶ୍ୟକ। କଏଦୀ ବାହାରେ ରହି ଚିକିତ୍ସିତ ହେଉଥିଲା ବେଳେ ଜେଲ୍‌ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ଏକ ରିପୋର୍ଟ ଜେଲ୍‌ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ। କିନ୍ତୁ ଅପରାଧୀ ହାଇଦର୍‌ କ୍ଷେତ୍ରରେ ଜେଲ୍‌ କର୍ତ୍ତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି।

ଜେଲ୍‌ କର୍ତ୍ତୃପକ୍ଷ ଓ ପୁଲିସ୍‌ ସହାୟତାରେ କୁଖ୍ୟାତ ଅପରାଧୀ ହାଇଦରକୁ ଖସାଇ ଦିଆଗଲା। ବର୍ତ୍ତମାନ ସୁଦ୍ଧା ଜେଲ୍‌ ମହାନିର୍ଦ୍ଦେଶକ, ସମ୍ବଲପୁର ଜେଲ ଅଧୀକ୍ଷକ ଓ ଜେଲ୍‌ ଚିକିତ୍ସାଧିକାରୀଙ୍କୁ ଉତ୍ତରଦାୟୀ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜୀବନ କାରାଦଣ୍ଡ ଭୋଗି ସମ୍ବଲପୁର ଜେଲ୍‌ରେ ବନ୍ଦୀ ଥିବା କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଚିକିତ୍ସାର ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା? ତା’ ପାଖରେ ମୋବାଇଲ୍‌ ଫୋନ୍, ନଗଦ ଟଙ୍କା ଆଦି କିପରି ରହୁଥିଲା ? ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ହାଇଦର ପାଖରେ ପୁଲିସ ସୁରକ୍ଷା ବ୍ୟବସ୍ଥା ନ ଥିଲା। ତା’ର ଯୁବତୀ ବନ୍ଧୁ ଓ ଅନ୍ୟ ଅପରାଧୀମାନେ ତା’ ସାଙ୍ଗରେ ରହୁଥିଲେ। ଏସବୁ ‌ଷଡ଼ଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଓ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ। ଜେଲ୍‌ ବିଭାଗର ମୁଖ୍ୟ ହେଲେ ଗୃହ ମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ। ତେଣୁ ଏହି ସ୍ପର୍ଶକାତର ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର