ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ସମାରୋହ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ବିକଶିତ ଓଡ଼ିଶା ପାଇଁ ଥିବା ସଂକଳ୍ପ ସମ୍ବନ୍ଧରେ ସୂଚନା ଦେବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଜ୍ୟବାସୀ ପ୍ରଚାର ସର୍ବସ୍ୱ ବିକାଶ ରାସ୍ତାରୁ ବାହାରି କର୍ମ ସର୍ବସ୍ୱ ବିକାଶ ପାଇଁ ଆମକୁ ଯେଉଁ ସୁଯୋଗ ଦେଇଛନ୍ତି, ତା’ର ପ୍ରତି ମିନିଟ୍, ପ୍ରତି ସେକେଣ୍ଡର ସଦୁପଯୋଗ କରାଯିବ। ଯାହା ପ୍ରତିଶ୍ରୁତି ଦେବି, ତାହା ପାଳନ କରିବି ବୋଲି ମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରେ। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ ହେବ। ଏଥିରେ ‘ସେମିକଣ୍ଡକ୍ଟର’ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ। ୨୦୩୬ ଓ ୨୦୪୭ରେ ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତି ପାଇଁ ଓଡିଶାବାସୀଙ୍କ ମତାମତ ଆଧାରରେ ଦୁଇଟି ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ। ଏଥିପାଇଁ ଏକ ୱେବ ପୋର୍ଟାଲ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ବିକାଶର ‘ଡବଲ ଇଞ୍ଜିନ’ ମଡେଲ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ। ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ପାଇଁ ୪୮୦ କିଲୋମିଟର ଦୀର୍ଘ ବେଳାଭୂମିରେ ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ହେବ। ଓଡ଼ିଶା ପାଇଁ ୬ଟି ମଞ୍ଜୁରିପ୍ରାପ୍ତ ରେଳପଥ ଦକ୍ଷିଣ ଓ ଉତ୍ତର ଓଡିଶାର ଆଦିବାସୀ ବହୁଳ ଜିଲ୍ଲାକୁ ସଂଯୋଗ କରିବ। ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତୀକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ ସହ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଆଦିବାସୀ ବହୁଳ ଜିଲ୍ଲା ପାଇଁ ‘ପେସା’ ଆଇନ ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗ୍ରାମ ‘ଆଦର୍ଶ ଆଦିବାସୀ ଗ୍ରାମ’ ହେବ। ‘ପି. ଏମ. ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(ପିଭିଟିଜି) ବର୍ଗର ଜନଜାତିମାନଙ୍କର ସାମଗ୍ରିକ ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି କରାଯିବ। ଡ୍ରପ ଆଉଟ୍ ହାର ବୃଦ୍ଧି ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି। ଯୁବବର୍ଗଙ୍କ ପ୍ରଶିକ୍ଷଣ ପାଇଁ କୌଶଳ ଭବନ ପ୍ରତିଷ୍ଠା ହେବ। ଭାରତୀୟ ହକି ଦଳକୁ ଓଡ଼ିଶାର ପ୍ରାୟୋଜକ ସମୟ ସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ମେଧାବୀ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ ହେବ। ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିୟମ ସହ ପ୍ରତି ଜିଲ୍ଲାରେ ଜାତୀୟସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଓଡିଶାର ଯେଉଁ ଅଗ୍ନିବୀର୍ମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇ ନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ। ବିଶ୍ୱଗୁରୁ ଭାରତ, ଆଧ୍ୟାତ୍ମିକ କ୍ଷେତ୍ରରେ ସାରା ବିଶ୍ୱକୁ ସଚେତନ କରି ଶାନ୍ତି, ମୈତ୍ରୀ ଓ ସଦ୍ଭାବନା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଉତ୍ସବରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଦେଓ ରଞ୍ଜନ କୁମାର ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ, ସୁରେନ୍ଦ୍ର କୁମାର ଓ ସତ୍ୟବ୍ରତ ସାହୁ, ବିଧାୟକ ବାବୁ ସିଂ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗତ ଜାନୁଆରି ୨୬ ପରେଡ୍ରେ ଭାଗ ନେଇଥିବା ଶ୍ରେଷ୍ଠ ପ୍ଲାଟୁନ୍ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ଏସଓଜି ଚନ୍ଦକା, ଶ୍ରେଷ୍ଠ ରାଜ୍ୟ ପୁଲିସ ଭାବେ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍ସିସିରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଓଡିଏମ୍ ପବ୍ଲିକ୍ ସ୍କୁଲ, ଶ୍ରେଷ୍ଠ ଅଣ-ଏନ୍ସିସି ସ୍କୁଲରେ ସେଣ୍ଟ ଜାଭିୟର୍ ହାଇସ୍କୁଲ ଖଣ୍ଡଗିରି (ବାଳିକା), ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ, ୟୁନିଟ୍-୨ ପୁରସ୍କୃତ ହୋଇଥିଲେ।
ସେହିପରି ଗତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ‘ନୂଆ ଓଡ଼ିଶା ମିସନ୍ ଓ ସୁଦକ୍ଷା ଯୋଜନା’ ପ୍ରଥମ ପୁରସ୍କାର ପାଇଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ‘ପୂଜାସ୍ଥଳୀଗୁଡ଼ିକର ଉନ୍ନତୀକରଣ-ଜାହିରା’ ଦ୍ୱିତୀୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ଗ୍ରାମୀଣ ରୂପାନ୍ତରଣ’ ତୃତୀୟ ଓ ଓଡ଼ିଶା ଖଣି ନିଗମ ‘ସଷ୍ଟେନେବୁଲ୍ ମାଇନିଂ’ ଚତୁର୍ଥ ପୁରସ୍କାର ପାଇଥିଲା। ରାଜ୍ୟର ପ୍ରଗତିର ସାଥୀ ହୋଇଥିବା କଟକର ଭୁବନାନନ୍ଦ ଓଡ଼ିଶା ଇଂଜିନିୟରିଂ ସ୍କୁଲ, ବ୍ରହ୍ମପୁର ସରକାରୀ ଆଇଟିଆଇ, କେନ୍ଦ୍ରାପଡ଼ା ସରକାରୀ ପଲିଟେକ୍ନିକ୍ ସମେତ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ରହ୍ମପୁର ଆଇଟିଆଇର ଇଲେକ୍ଟ୍ରୋନିକସ୍ ମେକାନିକ୍ ବିଭାଗର ପି. କୁମାରୀ ଓ ଟେକ୍ନିକ୍ସିଆନ୍ ଅନୁରାଗ୍ ମାଇକେଲ୍, ବାଲେଶ୍ୱର ଆଇଟିଆଇର ପ୍ରୀତମ୍ ଦାସଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ‘ଛତିଶଗଡ଼ ପୁଲିସ’କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।