ବାରିପଦା: ବାରିପଦା ଷ୍ଟାଡିୟମ୍ ପଡ଼ିଆରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଆଜି ଫାଇନାଲ୍ ମ୍ୟାଚ୍ରେ କିଟ୍ ବିଶ୍ୱବିଦ୍ୟାଳୟ ଦଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦଳକୁ ୧୦ ୱିକେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଧାରିତ ୨୦ ଓଭର୍ରୁ ୧୬.୫ ଓଭର୍ ଖେଳି ଦଳ ସମସ୍ତ ୱିକେଟ୍ ହରାଇ ମାତ୍ର ୮୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅଧିନାୟିକା ସରୋଜିନୀ ଗିରି ୪୬ ବଲ୍ରେ ୫୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳିଙ୍କ ରନ୍ ଦୁଇଅଙ୍କ ଛୁଇଁ ପାରି ନ ଥିଲା। ବିପକ୍ଷ ଦଳର କୁନି ବାଦ୍ରା ୪ଟି ଏବଂ ବର୍ଷାରାଣୀ ସିଂହ ୩ଟି ୱିକେଟ୍ ଅକ୍ତିଆର କରିଥିଲେ।
କିଟ୍ ବିଶ୍ୱବିଦ୍ୟାଳୟ ଦଳ ୮୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ କୌଣସି ୱିକେଟ୍ ନ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମ୍ୟାଚ୍ ଜିତିବା ସହ କିଟ୍ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାର ଚାମ୍ପିଅନ୍ ହେବାର ଗୌରବ ହାସଲ କରିଥିଲା। ଦଳ ପକ୍ଷରୁ ଅଧିନାୟିକା ରାଣୀ ଟୁଡୁ ୩୫ ବଲ୍ରେ ୪୬ ଓ ମଧୁସ୍ମିତା ବେହେରଦଳାଇ ୨୯ ବଲ୍ରେ ୨୯ ରନ୍ କରି ଅପରାଜିତ ରହିଥିଲେ।
ଅମ୍ପାୟାର ଭାବେ ଖେଳକୁ ଅଶ୍ୱିନୀ କୁମାର ସାମଲ ଓ ପ୍ରତାପ ପାତ୍ର ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରର୍ ଦାୟିତ୍ବରେ ଥିଲେ। ସୋମନାଥ ସିଂହ ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ।
ମ୍ୟାଚ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ. କିଶୋର କୁମାର ବସା, ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମିତା ଦାସ, ପ୍ରଫେସର ଅନୀଲ କୁମାର ବିଶ୍ୱାଳ, ମୟୂରଭଞ୍ଜ ଆଥ୍ଲେଟିକ୍ ଆସୋସିଏସନ୍ର କ୍ରିକେଟ୍ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।