ତୃତୀୟ ଲହର ପାଇଁ ରାଜ୍ୟ ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

କୋଭିଡ ଟିକାକରଣ ଏବଂ ପରବର୍ତ୍ତୀ ଲହର ଶୀର୍ଷକ ‘ଫିକି’ର ଭର୍ଚୁଆଲ ରାଉଣ୍ଡ ଟେବୁଲ

ଓଡ଼ିଶାରେ କୋଭିଡ ମୃତ୍ୟୁ ହାର ଦେଶରେ ସର୍ବନିମ୍ନ, ସୁସ୍ଥରେ ମଧ୍ୟ ଆଗୁଆ
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ବର : ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ସୁସ୍ଥ ହାର ଭଲ ରହିଛି। ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ନେଇ ନିଶ୍ଚିତ ଭାବରେ କୁହାଯାଇ ପାରୁନଥିଲେ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ କେନ୍ଦ୍ରରୁ ଟିକା କ୍ରୟ ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଆଜି ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ଓଡ଼ିଶାରେ କୋଭିଡ-୧୯ ଟିକାକରଣ ଏବଂ ପରବର୍ତ୍ତୀ ଲହର ଶୀର୍ଷକ ଏକ ଭର୍ଚୁଆଲ ରାଉଣ୍ଡ ଟେବୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ମତ ରଖିଛନ୍ତି।

ଏହା ବ୍ୟତୀତ ଶ୍ରୀ ଦାସ କୋଭିଡ ଦ୍ବିତୀୟ ଲହରର ଉତ୍କୃଷ୍ଟ ପରିଚାଳନା ପାଇଁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୁଲିସ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ସମୁଦାୟ ସ୍ବାସ୍ଥ୍ୟ ସେବାର ପ୍ରଶଂସା କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ପ୍ରଦୀପ ମହାପାତ୍ର କହିଥିଲେ, ତୃତୀୟ ଲହରକୁ ଆଖିରେ ରାଜ୍ୟ ସ୍ବାସ୍ଥ୍ୟ ସେବା ଏବଂ ଭିତ୍ତିଭୂମି ବିକାଶ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଦ୍ବିତୀୟ ଲହରର ମୁକାବିଲା ରାଜ୍ୟ ଦକ୍ଷତାର ସହିତ କରିଥିବାରୁ କୋଭିଡ ପଜିଟିଭ ହାର ହ୍ରାସ ପାଇଛି। ଓଡ଼ିଶାରେ କୋଭିଡ ମୃତ୍ୟୁହାର ଦେଶରେ ସର୍ବନିମ୍ନ ରହିଛି। ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣ କୋଭିଡ ମୁକାବିଲା ପାଇଁ ଆବଶ୍ୟକ ଔଷଧ, ଇଂଜେକସନ ରହିଛି। ଦେଶରେ ମେଡିକାଲ ଅକ୍ସିଜେନ ଉତ୍ପାଦନରେ ମଧ୍ୟ ଓଡ଼ିଶା ଅଗ୍ରଣୀ ରହିଛି। ୧୮ଟି ରାଜ୍ୟକୁ ଅକ୍ସିଜେନ ପଠାଇ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିଛି। ଶ୍ରୀ ମହାପାତ୍ର ବ୍ୟକ୍ତିଗତ ଜୀବନରେ ମଧ୍ୟ କୋଭିଡ କଟକଣା ପାଳନକୁ ଗୁରୁତ୍ବ ଦେଇ ଟିକା ନେବା ସହିତ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।

କର କ୍ଲିନିକ ଆଣ୍ଡ ହସପିଟାଲ ଲିମିଟେଡର ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ କର କହିଥିଲେ, ତୃତୀୟ ଲହର ମୁକାବିଲା ପାଇଁ ଟିକା ହିଁ ଏକମାତ୍ର ବିକଳ୍ପ। ଆହୁରି କିଛି ବର୍ଷ ମହାମାରୀ ସ୍ଥିତି ଜାରି ରହିବାକୁ ଯାଉଥିବାରୁ ଲୋକେ ମାସ୍କ ପିନ୍ଧିବା ସହିତ କରୋନା କଟକଣା ପାଳନ କରିବା ଉଚିତ। ମଲ୍ଟି ସ୍ପେସାଲିଟି କ୍ଲିନିକ ୩୨ ଜେମ୍ସ ଅଫ ମାଇଲର ପରିଚାଳନା ନିର୍ଦେଶକ ଡା. ମିଲନ କୁମାର ମହାମାରୀ ପୂର୍ବାନୁମାନ କରିବାରେ ପ୍ରଯୁକ୍ତିର ଗୁରୁତ୍ବ ବିଷୟରେ କହିଥିଲେ। ସ୍ପେନ, ପର୍ତ୍ତୁଗାଲ ସଫଳତାର ଉଦାହରଣ ଦେଇଥିଲେ।

ଫିକି ଓଡ଼ିଶାର ରାଜ୍ୟ କାଉନସିଲ ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଉପସ୍ଥିତ ଅତିଥିଙ୍କୁ ସ୍ବାଗତ କରି କହିଥିଲେ ଯେ ରାଜ୍ୟରେ ମେଡିକାଲ ଅକ୍ସିଜେନ ଯୋଗାଣ, ଟିକାକରଣ ପାଇଁ ଥିବା ଟାକ୍ସଫୋର୍ସରେ ଫିକି ମଧ୍ୟ ଏକ ଅଂଶ ଅଟେ। କୋଭିଡ୍ ସଚେତନତା ସମେତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଫିକି ସହଯୋଗ କରି ଆସିଛି। ଫିକିର ପ୍ରତିଷ୍ଠାତା ସଭାପତି ତଥା ସଦସ୍ୟ ସଂଜୀବ ରାଉତ କୋଭିଡ ପରିଚାଳନା ପାଇଁ ଫିକିର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସମ୍ବାଦ ସିଜିଏମ(ନ୍ୟୁଜ) ଅରବିନ୍ଦ ଦାସ, ଫିକି ଜାତୀୟ ପର୍ଯ୍ୟଟନ ପରିଷଦର କୋ ଚେୟାରମ୍ୟାନ ଜେକେ ମହାନ୍ତି, ଶିଳ୍ପପତି ଜେକେ ରଥ, ପ୍ରବୋଧ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର