ଭକ୍ତ କେମିତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ପୁରୀରୁ ଫେରିବେ ତାହା ଆମ ପାଇଁ ଚାଲେଞ୍ଜ: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ରଥଯାତ୍ରା-୨୦୨୪ ନେଇ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭକ୍ତ ବଢ଼ିଲେ ଆମେ ଖୁସି ହେବୁ। ଆମ ପାଇଁ ଏହା ଚ୍ୟାଲେଞ୍ଜ ନୁହେଁ। ଭକ୍ତମାନେ କେମିତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ପୁରୀରୁ ଫେରିବେ ତାହା ପାଇଁ ଚାଲେଞ୍ଜ। ରତ୍ନଭଣ୍ଡାର ଖୋଲିବା ନେଇ ଆମେ ନିଷ୍ପତ୍ତି ନେଇଛୁ। ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ବ୍ୟତୀକ୍ରମ ହେବ ନାହିଁ। ଖୁବ କମ ଦିନ ଭିତରେ କେଉଁ ତାରିଖରେ ଖୋଲିବ ତାହା ଘୋଷଣା ହେବ। ରତ୍ନଭଣ୍ଡାର ଖୋଲିବା ଏକ ସ୍ପର୍ସକାତର ବିଷୟ। କେଉଁମାନେ ଉପସ୍ଥିତ ରହିବେ, କିଭଳି ବ୍ୟବସ୍ଥା କରାଯିବ ସେନେଇ ଥାକଥାକ ହୋଇ ପଦକ୍ଷେପ ନିଆଯିବ। ଦାୟିତ୍ୱରେ କିଏ ରହିବେ ତାହା ନେଇ ରତ୍ନଭଣ୍ଡାର ଖୋଲି ଓ ଗଣତି କରିବା ତାହା ଯତ୍ନର ସହ କରିବା ଉପରେ ଗୁରୁତ୍ୱ ଦିଆଯିବ। ସବୁ କାମ ଭଗବାନଙ୍କ ଦୟାରେ ହେବ।

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଥିବା ବେଳେ ସରକାର, ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ୭ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଆଜି ପୁରୀ ଗଜପତି ମହାରାଜ, ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ରଥଯାତ୍ରା ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି।  

ରଥଯାତ୍ରା ସୂଚାରୁରୂପେ ପରିଚାଳନା ପ୍ରସଙ୍ଗରେ ମହାରାଜ ଗଜପତି ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି। ଗଜପତିଙ୍କ ବହୁ ମୂଲ୍ୟବାନ ପରାମର୍ଶ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ସମୟ ନିର୍ଘଣ୍ଟ ଅନୁସାରେ ସବୁ ସମାପନ କରିବାକୁ ନିଷ୍ପତ୍ତି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ମଧ୍ୟ ଆଲୋଚନା ହୋଇଛି। ରାଷ୍ଟ୍ରପତି ଗସ୍ତ ନେଇ ସମ୍ପୂର୍ଣ ତଥ୍ୟ ଆସିଲା ପରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଯେଭଳି ଭାବେ କୌଣସି ଅସୁବିଧା ନହେବ ସେନେଇ ଆଲୋଚନା କରିଛନ୍ତି।

 

ସମ୍ବନ୍ଧିତ ଖବର