କଟକ: ବାର୍ କାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ)କୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପ୍ରତିନିଧି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଏହି ନିର୍ବାଚନ ନେଇ ଗୁରୁତର ଅଭିଯୋଗ ହେବା ପରେ ବିସିଆଇ ଅଧ୍ୟକ୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବାକୁ ଥିବା ସଦସ୍ୟ ପ୍ରତିନିଧି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ଜାରି କରାଯାଇଛି। ଏପରି ନିର୍ଦ୍ଦେଶ ସଂକ୍ରାନ୍ତରେ ରାଜ୍ୟ ଆଇନଜୀବୀ ପରିଷଦ ସଂପାଦକଙ୍କୁ ଚିଠି ମାଧ୍ୟମରେ ବିସିଆଇ ତରଫରୁ ଅବଗତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରକୁ ଛାଡି ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ଆଇନଜୀବୀ ପରିଷଦ ନିର୍ବାଚନ ୨୦୨୩ ଏପ୍ରିଲ ୧୫ରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ସହରରେ ସେହି ସମୟରେ କର୍ଫ୍ୟୁ ଜାରି କରାଯାଇଥିବାରୁ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇ ପାରିନଥିଲା। ମେ ୨୦ରେ ସମ୍ବଲପୁରରେ ଭୋଟ ଗ୍ରହଣ କରାଯାଇଥିଲା। ୨୫ଜଣ ସଦସ୍ୟ ନିର୍ବାଚିତ ହେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୫ଜଣଙ୍କ ମଧ୍ୟରୁ ଜଣେ ସଦସ୍ୟ ପ୍ରତିନିଧି ଭାବେ ବିସିଆଇରେ ରାଜ୍ୟ ଆଇନଜୀବୀ ପରିଷଦର ପ୍ରତିନିଧିତ୍ବ କରିବା ନେଇ ବ୍ୟବସ୍ଥା ରହିଛି। ଏଥିସହିତ ୨୫ଜଣଙ୍କ ମଧ୍ୟରୁ ଦୁଇ ଜଣ ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି।
ନଭେମ୍ବର ୫ରେ ଅନୁଷ୍ଠିତ ହେବାକୁ ଥିବା ସଦସ୍ୟ ପ୍ରତିନିଧି ନିର୍ବାଚନରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନଥିବା ତଥା ନାନା ପ୍ରଲୋଭନ ଦିଆଯାଉଥିବା ନେଇ ବିସିଆଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ନିର୍ବାଚନର ଫଳାଫଳ ପ୍ରଭାବିତ କରିବା ପାଇଁ ଅନୈତିକ ଓ ଅସାଧୁ ଉପାୟ ଅବଲମ୍ବନ କରାଯାଉଛି ବୋଲି ଦର୍ଶାଯାଇଥିଲା। ଏଭଳି ଅଭିଯୋଗକୁ ବିସିଆଇ ଗୁରୁତ୍ବର ସହ ନେବା ସହିତ ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି କରାଯିବ। ଏଥିରେ ବିସିଆଇର ଦୁଇ ସଦସ୍ୟ ଓ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି ରହିବେ। ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟତାରେ ଗଠିତ ହେବାକୁ ଥିବା କମିଟି ୩୦ ଦିନ ଭିତରେ ତଦନ୍ତ ଶେଷ କରିବ। ତଦନ୍ତର ନିର୍ଯ୍ୟାସକୁ ଅନୁଧ୍ୟାନ କରିବା ପରେ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିଆଇ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।