ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ କମ୍ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ତେଲ ଉପରୁ କିଛି ପରିମାଣର ଟିକସ ଛାଡ଼ କରିଛନ୍ତି। ଏବେ ରାଜ୍ୟ ସରକାର କିଛି ପରିମାଣର ଭାଟ୍ ଛାଡ଼ କରିବା ଆବଶ୍ୟକ। ଭାଟ୍ ବାବଦରେ ରାଜ୍ୟ ସରକାର ୭୦୦୦ କୋଟି ଟଙ୍କା ଆଦାୟ କରୁଛନ୍ତି। ପୂର୍ବରୁ ତେଲରୁ ୩୦୦୦ କୋଟି ଟଙ୍କାର ଭାଟ୍ ଆଦାୟ ହେଉଥିଲା। ଏବେ ଆଉ ଅଧିକ ୪୦୦୦ କୋଟି ଟଙ୍କା ମିଳୁଛି ବୋଲି ସେ କହିଛନ୍ତି। ସାଧାରଣ ଜନତାଙ୍କୁ କିଛିଟା ଆଶ୍ବସ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର କିଛି ପରିମାଣର ଭାଟ୍ ଛାଡ଼ କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ବେସ୍ ପ୍ରାଇସ୍ ସମାନ ଥିବା ବେଳେ ସେଠାରେ ପେଟ୍ରୋଲ୍ ଠାରୁ ଡିଜେଲ୍ ଦର କମ୍ ରହୁଛି। ଓଡ଼ିଶାରେ କ’ଣ ପାଇଁ ଡିଜେଲ ମହଙ୍ଗା ରହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଯଦି ଡିଜେଲ୍ ଉପରୁ ଭାଟ୍ କମାଇବେ ତେବେ ଏହାର ଦର କମିବ। ଆନ୍ତର୍ଜାତିକ ବଜାର ଦରକୁ ହିସାବକୁ ନେଇ ବେସ୍ ପ୍ରାଇସ୍ ଧାର୍ଯ୍ୟ କରାଯାଇଥାଏ। ଅନ୍ୟ ରାଜ୍ୟର ବେସ୍ ପ୍ରାଇସ୍ ଓଡ଼ିଶାର ବେସ୍ ପ୍ରାଇସ୍ ସହ ସମାନ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ, ଡିଜେଲ୍ର ବେସ୍ ପ୍ରାଇସ୍ ଅଧିକ ରହୁଥିବାରୁ ଏହା ପେଟ୍ରୋଲ୍ ଠାରୁ ମହଙ୍ଗା ହୋଇଛି। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ। ଧର୍ମେନ୍ଦ୍ର ଆଜି ସେହି କଥାର ଜବାବ ରଖିଛନ୍ତି।
ରାଜ୍ୟ ଭାଟ୍ କମାଇଲେ ଡିଜେଲ ଦର କମିବ: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2018/06/Dharmendra-Pradhan-PTI-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)